ମୁମ୍ବଇ: ବଲିଉଡ଼ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ମୁମ୍ବାଇର ୱର୍ଲି ଟ୍ରାଫିକ ବିଭାଗର ହ୍ୱାର୍ଟସ ଆପ୍ ନମ୍ବରକୁ ଏକ ଧମକ ପଠାଯାଇଛି । ଧମକପୂର୍ଣ୍ଣ ମେସେଜରେ ଅଭିନେତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି। ଏଥିସହ ତାଙ୍କ କାରକୁ ବୋମାରେ ଉଡ଼ାଇ ଦେବାକୁ ମଧ୍ୟ ଧମକ ମିଳିଛି। ଏହି ଘଟଣା ପରେ ୱର୍ଲି ଥାନାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଧିକାରୀମାନେ ଏବେ ଧମକର ଉତ୍ସ ଏବଂ ସତ୍ୟତା ଯାଞ୍ଚ କରୁଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ଏପ୍ରିଲ ୧୪ ତାରିଖ ସକାଳେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ସଲମାନ ଖାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ଉପରକୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ଗୁଳିକାଣ୍ଡରେ ସଲମାନଙ୍କ ଘର କାନ୍ଥରେ ମଧ୍ୟ ଏକ ଗୁଳି ବାଜିଥିଲା। ସଲମାନଙ୍କ ଘରେ ଲାଗିଥିବା ନେଟ୍କୁ ଚିରି ଏକ ଗୁଳି ଭିତରେ ବାଜିଥିଲା। ଗୁଳି ଚଳାଇବା ପରେ ଆକ୍ରମଣକାରୀମାନେ ବାଇକ୍କୁ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଥିଲେ।
ଏଥିସହିତ ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ବାବା ସିଦ୍ଦିକିଙ୍କ ହତ୍ୟା ମଧ୍ୟ କରାଯାଇଥିଲା । ଏହାପରେ ସୁପରଷ୍ଟାରଙ୍କୁ Y ପ୍ଲସ୍ ସୁରକ୍ଷା ଦିଆଯାଇଛି । ଏବେ ପୁଣି ଥରେ ତାଙ୍କ ଘର ଭିତରେ ହତ୍ୟା ହେବାର ଧମକ ଆସିଛି । ପୋଲିସ ମାମଲାର ଯାଞ୍ଚ କରୁଛି ।