ପୁରୀ: ନଭେମ୍ବର ୧୮: ମହାମାରୀ କୋଭିଡକୁ ନଜରେ ରଖି ଆସନ୍ତା କାଲି କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ ରହିବ । ପବିତ୍ର ପଞ୍ଚକ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଜଗା ଦର୍ଶନ ବ୍ୟବସ୍ଥା ସମୟରେ ସାମାନ୍ୟ ପରିବର୍ତ୍ତନ କରିଛି । ପୂର୍ବରୁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଅନୁମତି ରହିଥିଲା । ପଞ୍ଚକର ନୂଆ ନିୟମ ଅନୁସାରେ, ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । କାର୍ତ୍ତିକ ମାସ ହେତୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗୁଛି । ଫଳରେ ପ୍ରତ୍ୟେକ ଦିନ ଅନେକ ଭକ୍ତ ଦର୍ଶନର ସମୟ ନପାଇ ନିରାଶ ହୋଇ ଫେରୁଛନ୍ତି । ପବିତ୍ର ପଞ୍ଚକରେ ଭକ୍ତ ବହୁ ସଂଖ୍ୟାରେ ମହାପ୍ରଭୁଙ୍କ ଦର୍ଶନ ନିମେନ୍ତ ଦୂରଦୂରାନ୍ତରୁ ଆଗମନ କରିବେ । ସେମାନଙ୍କ ଶ୍ରଦ୍ଧା ଓ ଭକ୍ତିକୁ ନଜରରେ ରଖି ପ୍ରଶାସନ ଶ୍ରୀମନ୍ଦିର ଦର୍ଶନ ସମୟ ସୀମା ବୃଦ୍ଧ କରିଛି ।
ସୂଚନା ଥାଉଯେ, ଅକେଫାବର ୧୩ ଓ ୨୭ ତାରିଖରେ ଜାରି ଏସ୍ଓପିରେ ଶ୍ରୀମନ୍ଦିର ପ୍ରଶାସନ ସାମାନ୍ୟ ସଂଶୋଧନ କରିଛି । ଏସ୍ଓପି ନିୟମ ଅନୁସାରେ, ନଭେମ୍ବର ୧୭ ଓ ୧୮ ତାରିଖରେ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ୧୯ ତାରିଖ ଅର୍ଥାତ କାଲି କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯାଇଛି । ଏହା ପରେ ଅର୍ଥାତ ନଭେମ୍ବର ୨୦ରୁ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହେବ । ପୂର୍ବଭଳି ଭକ୍ତମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ କରିବେ ।
Comments are closed.