ସିଙ୍ଗାପୁର : ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ୱାଲ ଜମାଣିଆ ବିଜୟ ସହ ସିଙ୍ଗାପୁର ଓପନ ମହିଳା ସିଙ୍ଗଲ୍ସର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ସାଇନା ବିଶ୍ୱର ନଂ.୯ ଖେଳାଳି ଚୀନ୍ର ହି ବିଙ୍ଗ ଜିଆଓଙ୍କୁ ୨୧-୧୯, ୧୧-୨୧, ୨୧-୧୭ ଗେମ୍ରେ ପରାସ୍ତ କରିଥିଲେ ।

ପୂର୍ବରୁ ସିନ୍ଧୁ ଓ ଏଚ୍ଏସ୍ ପ୍ରଣୟ ନିଜ ନିଜ ବର୍ଗର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ । ଗତବର୍ଷ ସାଇନା ଅଲେନ୍ସ ମାଷ୍ଟର ସୁପର-୧୦୦ ପ୍ରତିଯୋଗିତାର ସେମିଫାଇନାଲ ଖେଳିଥିଲେ । ଏହା ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ୨୦୨୦ରେ ସେ ବାର୍ସିଲୋନା, ସ୍ପେନ୍ ମାଷ୍ଟର୍ସ ଓ ମାଲେସିଆ ମାଷ୍ଟର୍ସର କ୍ୱାର୍ଟରଫାଇନାଲ ଖେଳିଥିଲେ ।

ତୃତୀୟ ସିଡେଡ ସିନ୍ଧୁ ୧୯-୨୧, ୨୧-୧୯, ୨୧-୧୮ ଗେମ୍ରେ ଲିନ୍ ଗୁଏନ୍ଙ୍କୁ ହରାଇ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ । କ୍ୱାର୍ଟରେ ସିନ୍ଧୁ ଚୀନର ହାନ୍ ୟୁଙ୍କୁ ଭେଟିବେ । ପ୍ରଣୟ ୧୪-୨୧, ୨୨-୨୦, ୨୧-୧୮ ଗେମ୍ରେ ବିଶ୍ୱର ନଂ.୪ ତଥା ଟୁର୍ଣ୍ଣାମେଣ୍ଟର ତୃତୀୟ ସିଡେଡ ଚାଇନିଜ ତାଇପେଇର ଚୌତିଏନ୍ ଚେନ୍ଙ୍କୁ ହରାଇଥିଲେ ।

ମ୍ୟାଚ୍ ଜିତିବା ପାଇଁ ପ୍ରଣୟଙ୍କୁ ୧ ଘଣ୍ଟା ୯ ମିନିଟ୍ର ସଂଘର୍ଷ କରିବାକୁ ପଡ଼ିଥିଲା । ସେ ପରବର୍ତ୍ତୀ ମୁକାବିଲାରେ ଜାପାନର କୋଡାଇ ନାରାଓକାଙ୍କୁ ଭେଟିବେ ।
ପୁରୁଷ ଡବଲ୍ସରେ ଏମ୍ଆର୍ ଅର୍ଜୁନ ଓ ଧୃବ କପିଳାଙ୍କ ଯୋଡି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ଅର୍ଜୁନ-ଧୃବ ୧୮-୨୧, ୨୪-୨୨, ୨୧-୧୮ ଗେମ୍ରେ ଷଷ୍ଠ ସିଡେଡ ମାଲେସିଆର ଗୋହ ଜେଫେଇ ଓ ନୁର ଇଜୁଦ୍ଦିନଙ୍କୁ ହରାଇଥିଲା ।
Comments are closed.