ସମ୍ବଲପୁର: ସମ୍ବଲପୁର ଶୀତଳଷଷ୍ଠୀକୁ ଆଉ ଅଳ୍ପଦିନ ବାକି ରହିଲା । ଶହ ଶହ ବର୍ଷ ଧରି ଚାଲି ଆସୁଥିବା ପାରମ୍ପରିକ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ କାର୍ଯ୍ୟ ବହୁ ଆଡମ୍ବରରେ ହୋଇଥାଏ । ଏହି ପରିପ୍ରେକ୍ଷୀରେ ସହରର ସମସ୍ତ କମିଟି ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । କରୋନା ସକାଶେ ବିଗତ ଦୁଇ ବର୍ଷ ହେବ ଏହି ଯାତ୍ରା କେବଳ ବିଧିରକ୍ଷାରେ ସୀମିତ ହୋଇଯାଇଥିଲା । ହେଲେ ସ୍ୱାଭାବିକ ଭାବେ ଯାତ୍ରା ମହାଆଡମ୍ବରେ କରିବାକୁ କମିଟିଗୁଡିକ ନିଷ୍ପତ୍ତି ନେଇଛନ୍ତି ।
ସମ୍ବଲପୁରର ପୁରାତନ କମିଟି ମଧ୍ୟରୁ ଝାଡୁଆପଡା ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା କମିଟି ଅନ୍ୟତମ । ଏଠାରେ ପାଖାପାଖି ୪୦୦ ବର୍ଷରୁ ଅଧିକ ହେବ ଦେବ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ହୋଇଆସୁଛି । ଚଳିତ ବର୍ଷ ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ପାରମ୍ପରିକ ଝଲକ ନେଇ ବାବା ଲୋକନାଥ ଶୋଭାଯାତ୍ରାରେ ଯିବେ ।
ଝାଡୁଆପଡା ଷଷ୍ଠୀ କମିଟି ପକ୍ଷରୁ ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁ ଯାକଜମକରେ ଯାତ୍ରା କରିବାକୁ କିଛି ଦିନ ହେବ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ତେବେ ଗତ ୨୦୧୯ ମସିହାରେ ଯାତ୍ରା ପାଇଁ ୩୦ ଲକ୍ଷ ଟଙ୍କା ବଜେଟ ରହିଥିବା ବେଳେ ଏଥର ତାଠାରୁ ଅଧିକ ଖର୍ଚ୍ଚ କରିବାକୁ ଲକ୍ଷ ରଖାଯାଇଛି । ସାରା ସମ୍ବଲପୁରରେ ତଥା ପଶ୍ଚିମ ଓଡିଶାରେ ଏହି କମିଟି ହିଁ ପ୍ରଥମ କରି ୧୩୫ କିଲୋଗ୍ରାମରେ ତିଆରି ରୂପା ପରଭାରେ ତିଆରି କରିଥିଲା । କଟକର କାରୀଗର ଏହି ପରଭା ତିଆରି କରିଥିଲେ । ଏଥିସହ ଆଉ ଦୁଇଟି ପରଭା ପୁରୀ କାରିଗରଙ୍କ ଦ୍ୱାରା ତିଆରି ହେଉଛି । ଶୋଭାଯାତ୍ରାରେ ତିନିଟି ପରଭା ବାହାରିବ । ଚାନ୍ଦି ପରଭାରେ ବାବା ଲୋକନାଥ, ଅନ୍ୟ ଦୁଇଟିରେ ହନୁମାନ ଓ ରାଧାକୃଷ୍ଣ ବାହାରିବେ ।
ଦବାଦେବୀଙ୍କ ସମସ୍ତ ମୂର୍ତ୍ତି ସ୍ଥାନୀୟ କାରିଗର ତିଆରି କରୁଛି । କମିଟିର ସମସ୍ତ ସଦସ୍ୟ ଯାତ୍ରାକୁ ଆଡମ୍ବର ସହକାରେ କରିବା ପାଇଁ ଲାଗିପଡିଛିନ୍ତି । ଶୋଭାଯାତ୍ରାରେ ଲୋକଙ୍କ ମନୋରଞ୍ଜନ କରିବା ପାଇଁ ପାରମ୍ପରିକ ତଥା ଆଧୁନିକ ଲୋକକଳା ଦେଖିବାକୁ ମିଳିବ । ଏଥିପାଇଁ ରାଜ୍ୟ ବାହାରୁ ୬ଟି ଟିମ୍ ଆସୁଛନ୍ତି । ସେଥି ମଧ୍ୟରୁ ଗୋଟିଏ ସମ୍ପୁର୍ଣ୍ଣ ନୂଆ ୩୦ ଜଣିଆ ଫୋକ୍ ଟିମ୍ ପ୍ରଥମ କରି ସାମିଲ ହେଉଛନ୍ତି । ଭଳିକି ଭଳି ଆକର୍ଷଣ ତଥା ସତେତନତା ମୂଳକ ୫ଟି ପ୍ରଜ୍ଞାପନ ମେ ତିଆରି ହେଉଛି ।
ଓଡିଶାର ୧୨ଟି ଜିଲ୍ଲାରୁ ବିଭିନ୍ନ ଲୋକକଳା ସହ ଦୁଲଦୁଲି, ସମ୍ପର୍ଦା, ଘଣ୍ଟ, ଧମାଲ ବାଜା, ଦଣ୍ଡ ନାଚ, ଆଦିବାସୀ ନାଚ ଦେଖିବାକୁ ମିଳିବ । ବିଭିନ୍ନ ରଥରେ ରାଜ୍ୟ ବାହାରୁ ଆସୁଥିବା ଡ୍ୟାନ୍ସର ଝଲକ ଦେଖାଯିବ । ଏହାବାଦ୍ ସମ୍ପୁର୍ଣ୍ଣ ପଡା ଆଲୋକୀକରଣ ହେବ । ଶୋଭାଯାତ୍ରା ନନ୍ଦପଡାରୁ ବାହାରି ୧ କିମିରୁ ଅଧିକ ବାଟ ଦେଇ ମନ୍ଦିରେ ପାଖରେ ଶେଷ ହେବ ବୋଲି କମିଟିର ସଭାପତି ସରୋଜ ଦଳପତ ସୂଚନା ଦେଇଛନ୍ତି ।
Comments are closed.