ପଦ୍ମଶ୍ରୀ ସମ୍ମାନୀତ ଶାନ୍ତି ଦେବୀଙ୍କ ପରଲୋକ

ଗୁଣୁପୁର: ଜାନୁଆରୀ ୧୭: ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ଶାନ୍ତି ଦେବୀଙ୍କର ୮୮ ବର୍ଷ ବୟସରେ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଏବଂ ସେ ଚେତାଶୂନ୍ୟ ହୋଇପଡିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ବାସଭବନରେ ବିଳମ୍ବିତ ରାତିରେ ଶାନ୍ତି ଦେବୀଙ୍କର ପରଲୋକ ହୋଇଥିବାର ସୂଚନା ମିଳିଛି । ଆଦିବାସୀ ସମାଜର ମଙ୍ଗଳ, ସାମାଜିକ କାର୍ଯ୍ୟକ୍ରମ ଏବଂ ଭୂଦାନ ଆନ୍ଦୋଳନ ପାଇଁ ସମ୍ମାନୀୟ ଶାନ୍ତି ଦେବୀ ବେଶ୍‌ ପରିଚିତ ଥିଲେ । ସେ ପଦ୍ମଶ୍ରୀ ସମ୍ମାନ ସହ ଜମୁନାଲାଲ ବଜାଜ୍‌ ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି ।

କୋରାପୁଟର ଏକ ଆଦିବାସୀ ଅଞ୍ଚଳରେ ସେ ହଷ୍ଟେଲ ପ୍ରତିଷ୍ଠା କରି ସେବା ଯୋଗାଇ ଆସୁଥିଲେ ଏବଂ ରାୟଗଡ଼ାରେ ସେ ସେବା ସମାଜର ସ୍ଥାପନା କରିଥିଲେ । ବାଲେଶ୍ୱର ଜିଲ୍ଲାରେ ଜନ୍ମିତ ସମ୍ମାନୀୟ ଶାନ୍ତି ଦେବୀ ୧୭ ବର୍ଷ ବୟସରୁ ଆଚାର୍ଯ୍ୟ ବିନୋବା ଭାବେଙ୍କ ପ୍ରେରଣାରେ ସମାଜସେବୀ ଓ ଭୂଦାନ ଆନ୍ଦୋଳନରେ ଯୋଗଦେଇଥିଲେ । ପରେ ଗୁଣୁପୁର ଅଞ୍ଚଳକୁ ଆସି ସେଠାରେ ସମାଜସେବା ଓ ଭୂଦାନ ଆନ୍ଦୋଳନ ଜାରି ରଖିଥିଲେ । ଗତ ୨୦୨୧ ନଭେମ୍ବର ୯ ତାରିଖରେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ଉପାଧୀରେ ଭୂଷିତ କରିଥିଲେ ।

ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଗରିବ ଏବଂ ଅସହାୟଙ୍କ ସ୍ୱର ରୂପରେ ଶାନ୍ତି ଦେବୀ ଚିର ସ୍ମରଣୀୟ । ଅସହାୟଙ୍କ ଦୁଃଖ ଦୂର କରିବା ଏବଂ ଏକ ସୁସ୍ଥ ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ସେ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ନିଧନରେ ମୁଁ ଗଭୀର ଭାବେ ଆଘାତ ପାଇଛି ।

Comments are closed.