୫ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

0

ସରକାରୀ ଚାକିରୀ ଆବେଦନ ପାଇଁ ସମୟସୀମା ବୃଦ୍ଧି

ଭୁବନେଶ୍ବର : ବୁଧୁବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ୫ ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଏହି ୫ ପ୍ରସ୍ତାବ ମଧ୍ୟରେ ରହିଛି ଯୋରନ୍ଦା ମହିମା ଗାଦିର ବିକାଶ, ବିଭିନ୍ନ ସରକାରୀ ଚାକିରିରେ ଆବେଦନ ପାଇଁ ବୟସ ସୀମା ବୃଦ୍ଧି, ଏଆଇ ମିଶନ, ଜଗତସିଂହପୁର JSWର ଜେଟି ନିର୍ମାଣ, ଓଡ଼ିଶା ଚକ୍ଷୁ ସେବା ପାଇଁ ପାଇଁ ପଦବୀ ସୃଷ୍ଟି ଆଦି ।

ଓଡ଼ିଶା ବେସାମରିକ ସେବା ନିୟମାବଳୀ ୧୯୮୯ର ସଂଶୋଧନ କରାଯାଇଛି । ରାଜ୍ୟ ସରକାରୀ ପଦପଦବୀ ଓ ସେବାରେ ପ୍ରବେଶ ପାଇଁ ପ୍ରବେଶ ସର୍ବୋଚ୍ଚ ବୟସ ସୀମା ୩୨ ଥିଲା । ଏହି ବୟସ ସୀମା ଏବେ ୪୨ ବର୍ଷକୁ ବୃଦ୍ଧି କରାଯାଇଛି । ତେବେ ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବା ଇତ୍ୟାଦି କିମ୍ବା ଯେଉଁ ସେବା ଓ ପଦବୀରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ ତା ବ୍ୟତିତ ଅନ୍ୟ ସମସ୍ତ ବିଭିନ୍ନ ମୂଳ ପଦବୀ ଓ ସେବାରେ ପ୍ରବେଶ ପାଇଁ ବୟସସୀମା ୩୨ରୁ ୪୨ ବର୍ଷକୁ ବୃଦ୍ଧି ପାଇଛି।

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ,ଜଟାଧାର ମୁହାଁଣରେ ନିଜସ୍ଵ ଜେଟି ସ୍ଥାପନ ହେବ । ଏଥିଲାଗି ରାଜ୍ୟ ସରକାର ଓ JSW ଉତ୍କଳ ଷ୍ଟିଲ ଲିମିଟେଡ ମଧ୍ୟରେ ରିହାତି ଚୁକ୍ତି ଅନୁମୋଦନ ସ୍ଵାକ୍ଷରକୁ ଅନୁମତି ମିଳିଛି । ଯୋରନ୍ଦା ସ୍ଥିତ ମହିମା ଗାଦିରେ ଉନ୍ନତିମୂଳକ କାର୍ଯ୍ୟ ଓ ଭବ୍ୟ ଶୂନ୍ୟ ମଣ୍ଡପ ନିର୍ମାଣ କରିବାକୁ ନିଷ୍ପତ୍ତି । ଏଥିଲାଗି ୧୭୧ କୋଟି ଟଙ୍କା ଅନୁମୋଦନ କରାଯାଇଛି । ୩୬ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଦ୍ବାରା ୩୪୫୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ମିଳିବ।

ସେହିପରି ଚକ୍ଷୁ ଚିକିତ୍ସା ସେବା କ୍ଷେତ୍ରରେ ମୋଟ ୫୩୮ ଚକ୍ଷୁ ଚିକିତ୍ସା ସହାୟକ ପଦବୀକୁ ଅନୁମୋଦନ ମିଳିଛି। ୧୪୧ଟି ନୂଆ ପଦବୀ ସୃଷ୍ଟି ସହ ପଦୋନ୍ନତି ଭିତ୍ତିରେ ୨୦୦ଟି ପଦବୀ ସୃଷ୍ଟି କରାଯାଇଛି । ସେହିଭଳି, ରାଜ୍ୟରେ କୃତ୍ରିମ ବୁଦ୍ଧିମତାକୁ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ଦେବାକୁ ଏଆଇ ନୀତିକୁ ଅନୁମୋଦନ ଦିଆଯାଇଛି। ଏହା ଅନୁସାରେ ଏଆଇ ମିଶନ ଓ ଏଆଇ ସେଲ ଆରମ୍ଭ କରାଯିବ। ଏଆଇ କ୍ଷେତ୍ରରେ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହନ ଦିଆଯିବ। ।

Leave A Reply

Your email address will not be published.