ରାଜ୍ୟ କ୍ୟାବିନେଟ ରେ ୬ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି ।
ଏହି ସଂରକ୍ଷଣ ନୀତି ଚଳିତ ଶିକ୍ଷା ବର୍ଷରୁ ରାଜ୍ୟର ସବୁ ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗୁ କରାଯିବ । ଏହା ସହିତ ଉଚ୍ଚଶିକ୍ଷାରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୨୨.୫ ପ୍ରତିଶତ, ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୬.୨୫ ପ୍ରତିଶତ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ୫ ପ୍ରତିଶତ ଓ ପୂର୍ବତନ ସେନାନୀଙ୍କ ପରିବାର ସଦସ୍ୟଙ୍କ ଲାଗି ୧ ପ୍ରତିଶତ ସଂରକ୍ଷଣ ପୂର୍ବ ପରି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ରାଜ୍ୟର ‘ମମତା’ ଯୋଜନାକୁ କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY)’ ସହିତ ସମନ୍ୱିତ ଭାବେ ‘ମମତା-PMMVY’ ନାମରେ କୋ-ବ୍ରାଣ୍ଡିଂ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ଅନୁମୋଦନ ପ୍ରଦାନ କରିଛି। ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାକୁ ମିଳିତ ଭାବରେ ୧ ଏପ୍ରିଲ, ୨୦୨୫ ରୁ କାର୍ଯ୍ୟକାରୀ କରିବାପାଇଁ ନିଷ୍ପତ୍ତି ନିଆଯାଇଛି ।
ପୂର୍ବରୁ ମମତା ଯୋଜନାରେ ଝିଅ ଜନ୍ମ ହେଲେ ମା’ ମାନେ ୧୦,୦୦୦ ଟଙ୍କା ପାଉଥିଲେ । ଏବେ ୧୨,୦୦୦ ଟଙ୍କା ପାଇବେ । ପୁଅ ଜନ୍ମ ହେଲେ ମା’ ମାନେ ପାଉଥିବା ୧୦ ହଜାର ଟଙ୍କାର ସହାୟତା ପୂର୍ବପରି ଅପରିବର୍ତ୍ତିତ ରହିଛି । ଆଦିମ ଜନଜାତି ସମ୍ପ୍ରଦାୟର ମହିଳାଙ୍କୁ ପ୍ରଥମ ୨ ଟି ସନ୍ତାନ ପରେ ମଧ୍ଯ ଝିଅ ଜନ୍ମ ପାଇଁ ୧୨ ହଜାର ଟଙ୍କା ଓ ପୁଅ ଜନ୍ମ ପାଇଁ ୧୦ହଜାର ଟଙ୍କା ଦିଆଯିବ ।
ଏହାବାଦ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବୃଦ୍ଧିପ୍ରାପ୍ତ ପ୍ରୋତ୍ସାହନ: ପୂର୍ବରୁ ଅଙ୍ଗନବାଡ଼ି କର୍ମୀ (AWW) ଏବଂ ଅଙ୍ଗନବାଡ଼ି ସହାୟିକା (AWH) ମାନେ ପ୍ରୋତ୍ସାହନ ରାଶି ଭାବେ ଯଥାକ୍ରମେ ୨୦୦ ଟଙ୍କା ଏବଂ ୧୦୦ ଟଙ୍କା ପାଉଥିଲେ। ‘ମମତା-PMMVY’ ଅଧୀନରେ ଏବେ ଏହା ବୃଦ୍ଧି କରି AWW ପାଇଁ ୨୫୦ ଟଙ୍କା ଏବଂ AWH ପାଇଁ ୧୫୦ ଟଙ୍କା କରାଯାଇଛି।