ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

0

ଭୁବନେଶ୍ୱର :ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ପ୍ରତ୍ୟେକ ଝିଅ ମାନଙ୍କୁ ନିର୍ଭୟରେ ସ୍ୱପ୍ନ ଦେଖିବାକୁ ଆହ୍ୱାନ ଦେଇଛନ୍ତି । ସମାଜର ସମସ୍ତ ବାଧାବିଘ୍ନକୁ ଭାଙ୍ଗି ଆତ୍ମ ବିଶ୍ୱାସର ସହ ଆଗକୁ ବଢିବାକୁ ପ୍ରେରଣା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଏହା ତୁମର ସମୟ, ତୁମର ମୁହୂର୍ତ୍ତ, ତୁମର ଓଡ଼ିଶା” ।

ଆଜି ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ୍‌ ହଲ୍‌ରେ ଆୟୋଜିତ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଆହ୍ୱାନ ଦେଇଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସଶକ୍ତିକରଣର ପ୍ରକୃତ ଅର୍ଥ ମହିଳାମାନଙ୍କୁ କିଛି ଆର୍ଥିକ ସାହାଯ୍ୟ ଦେବା ନୁହେଁ । ଏହାର ପ୍ରକୃତ ଅର୍ଥ ହେଉଛି ପରିବାର ତଥା ସାମାଜିକ ସ୍ତରରେ ନିଷ୍ପତ୍ତି ନେବାର ଅଧିକାର । ଆମ ସରକାର ସଶକ୍ତିକରଣର ଏହି ବ୍ୟାପକ ଲକ୍ଷ୍ୟ ହାସଲ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଓଡ଼ିଶାର ଅଧା ଜନସଂଖ୍ୟା ଅର୍ଥାତ ସମଗ୍ର ମହିଳା ସମାଜକୁ ଅର୍ଥନୈତିକ, ସାମାଜିକ ତଥା ରାଜନୈତିକ ସ୍ତରରେ ସଶକ୍ତ କରିବୁ, ଯାହାଦ୍ୱାରା ମହିଳା ମାନେ ସବୁ କ୍ଷେତ୍ରରେ ବ୍ୟକ୍ତିଗତ ଭାବେ ନିଷ୍ପତ୍ତି ନେବାରେ ସମର୍ଥ ହୋଇପାରିବେ ।

ଓଡ଼ିଶାରେ ଏବେ ପରିବର୍ତ୍ତନର ଏକ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜନୈତିକ ପରିବର୍ତ୍ତନ ସହିତ ସମାଜର ସବୁ କ୍ଷେତ୍ରରେ ପରିବର୍ତ୍ତନର ସ୍ରୋତ ବହିବା ଆରମ୍ଭ କରିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ମହିଳା ସଶକ୍ତିକରଣ ପାଇଁ ଏକ ଐତିହାସିକ ଏବଂ ପଥପ୍ରଦର୍ଶନକାରୀ “ସୁଭଦ୍ରା” ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । ଏହା ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଯୋଜନା ଏବଂ ଓଡ଼ିଶାର ବିକାଶ କାହାଣୀକୁ ପୁନଃ ଲିଖିତ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ । ଏହି ଯୋଜନାରେ ୧ କୋଟି ମହିଳା ସଶକ୍ତ ହେବାର ରାସ୍ତା ଖୋଲିଛି। ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିବା ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

 

Leave A Reply

Your email address will not be published.