ଭାରତର ମୁକ୍ତି ସଂଗ୍ରାମରେ ଅନେକ ବୀର ପୁରୁଷଙ୍କର ଆର୍ବିଭାବ ହୋଇଥିଲା । ସେମାନଙ୍କର ତ୍ୟାଗ ବଳିଦାନ ବଳରେ ଦେଶ, ବିଦେଶୀ ଶାସନ କବଳରୁ ମୁକ୍ତ ହେଲା । ଏହି ବୀରମାନଙ୍କ ମଧ୍ୟରେ ଅନେକ ଅଛନ୍ତି ଯାହାଙ୍କର ବ୍ୟକ୍ତିତ୍ୱ, ନେତୃତ୍ୱ ଓ ସାହସକୁ ଅସ୍ୱୀକାର କରିହେବ ନାହିଁ । ସେମାନଙ୍କର ଅଦମ୍ୟ ସାହସ ବଳରେ ପରାକ୍ରମୀ ଇଂରେଜ ସରକାର ମଧ୍ୟ ଭୟଭିତ ହୋଇଥିଲା । ଭାରତରେ ଆଉ ଅଧିକ ଦିନ ଶାସନ କରିବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ । ତେଣୁ ବିଦେଶୀ ଶାସକ ଭାରତ ପରିତ୍ୟାଗ କରିବାକୁ ଉଚିତ୍ ମନେ କରିଥିଲେ । ସେହି ବୀରମାନଙ୍କ ମଧ୍ୟରେ ଓଡ଼ିଶାର ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ୟତମ । ଏହି ବୀର ଓଡ଼ିଶା ଜନନୀର ଗୌରବ ବଢ଼ାଇ, ବିଦେଶୀ ଶାସନ କବଳରୁ ମୁକ୍ତ କରିବାକୁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ମୁକ୍ତିଯୋଦ୍ଧା ନେତାଜୀ ସୁଭାଷ ଇଛା ସ୍ୱପ୍ନ ଆଜିବି ଅପୂରଣୀୟ ହୋଇ ରହିଯାଇଛି । ଧୈର୍ଯ୍ୟ ଓ ସାହସ ଓ ବୀରତ୍ୱର ସିଏ ଯେଉଁ ଅଦମ୍ୟ ନୀତି ପରିଚୟ ଦେଇଯାଇଛନ୍ତି , ତାଙ୍କର ଯେଉଁ ଦେଶପ୍ରେମ, ମାନବ ପ୍ରେମର ମହନୀୟ ବାର୍ତ୍ତା ଦେଇଯାଇଛନ୍ତି ତାହାକୁ ସହଜରେ ଅଣଦେଖା କରାଯାଇନପାରେ । ଏହି ସବୁ କଥା କିନ୍ତୁ ସ୍ୱାଧୀନ ଭାରତରେ ଦୃଷ୍ଟିଗୋଚର ହେଉ ନାହିଁ । ଦେଶ ସ୍ୱାଧୀନତା ଲାଭ କରିଛି ସତ ମାତ୍ର ସ୍ୱାଧୀନ ଭାରତରେ ଦେଶାତ୍ମବୋଧ, ମାନବତା ପ୍ରେମ, ଦେଶଭକ୍ତି ତଥା ଆପଣାର ପ୍ରକୃତିକୁ ଭଲ ପାଇବାର ଅଦମ୍ୟ ଇଛା ଦୃଷ୍ଟିଗୋଚର ହେଉନାହିଁ । ଯାହା ଦିନେ ନେତାଜୀ ସୁଭାଷଙ୍କଠାରେ ପରିଦୃଶ୍ୟ ହୋଇଥିଲା ।
ଜାନୁଆରୀ ୨୩ ତାରିଖ ଓଡ଼ିଶାର ଏହି ବରପୁତ୍ର ଜନ୍ମଗ୍ରହଣ କରି ଓଡ଼ିଶା ମାଟିର ସୁଖ୍ୟାତି, ଓଡ଼ିଶାର ଗୌରବ ତଥା ଦେଶର ମର୍ଯ୍ୟାଦା ବଢ଼ାଇବାରେ କୌଣସି ଭୂମିକା ଛାଡ଼ିନାହାନ୍ତି । ନେତାଜୀଙ୍କର ପରାକାଷ୍ଠା ଓ ବୀରତ୍ୱ ଭାରତ ତଥା ବିଶ୍ୱ ଇତିହାସର କଥା ହୋଇଯାଇଛି । ଗାନ୍ଧିଜୀଙ୍କ ଅହିଂସା ବିପ୍ଲବକୁ ସେ ପସନ୍ଦ କରିନଥିଲେ । ଜାତୀୟ କଂଗ୍ରେସର ନେତୃତ୍ୱ ନେଇ ମଧ୍ୟ ପଦତ୍ୟାଗ କରିଥିଲେ । ସମସ୍ତ ବିପ୍ଲବ ମାଧ୍ୟମରେ ଭାରତକୁ ମୁକ୍ତ କରିବା ପାଇଁ ତାଙ୍କର ଅଦମ୍ୟ ପରାକାଷ୍ଠା ଓ ଅପୂର୍ବ ସାହସ ବିଶ୍ୱର ହିଟଲର, ମୁସୋକୂଳଙ୍କ ପରି କେତେକ ଯୋଦ୍ଧାଙ୍କ କ୍ଷେତ୍ରରେ ପରିଦୃଶ୍ୟ ହୋଇପାରେ । ଦେଶକୁ ମୁକ୍ତ କରିବା ପାଇଁ ସୁଭାଷ ‘ଦିଲ୍ଲୀ ଚଲୋ’ର ଡ଼ାକରା ଦେଇଥିଲେ । ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ବୋଲି ଆହ୍ୱାନ କରିଥିଲେ । ତାଙ୍କ ନେତୃତ୍ୱରେ ୧୯୪୨ ବିଶ୍ୱଯୁଦ୍ଧରେ ବିଦେଶ ମାଟିରେ ବନ୍ଦୀ ହୋଇଥିବା ଭାରତୀୟଙ୍କୁ ନେଇ ଗଢ଼ିଉଠିଥିଲା ‘ଆଜାଦ ହୀନ୍ଦ ଫୌଜ’ । ଏହି ଫୌଜ ଯେତେବେଳେ ଭାରତର ପୂର୍ବ ପଟୁ ଆକ୍ରମଣ କରି ଇଂରେଜ ସେନାକୁ ହତ ଚକିତ କରିଥିଲା ସେତେବେଳେ ଭାରତରେ ଇଂରେଜମାନଙ୍କ ସ୍ଥିତି ଦୋହଲି ଯାଇଥିଲା । ଗୋଟିଏ ପରେ ଗୋଟିଏ ଅଞ୍ଚଳ ଆଜାଦ୍ ହୀନ୍ଦ ଫୌଜ ଅକ୍ତିଆରକୁ ଯାଉଥିଲା ଓ ବିଶ୍ୱବାସୀ ଏହି ରୋମାଞ୍ଚକର ଘଟଣାରେ ଆଶ୍ୱର୍ଯ୍ୟଚକିତ ମଧ୍ୟ ହେଉଥିଲେ । ନେତାଜୀ ସୁଭାଷ କେତେବେଳେ ସାମ୍ନାରେ ତ’ କେତେବେଳେ ପଛରେ ରହି ଇଂରେଜ ଶକ୍ତିକୁ ଏପରି ଆଘାତ ଦେଇଚାଲିଥିଲେ ମାତ୍ର ପରିସ୍ଥିତି ଭିନ୍ନ ରୂପ ନେଇଥିଲା । ତାଙ୍କର ସମସ୍ତ ଉଦ୍ୟମ, ଆଜାଦ୍ ହୀନ୍ଦ ଫୌଜର ବଳିଦାନ ସମସ୍ତ ବିଦ୍ରୋହକୁ ଆଗକୁ ନେଇପାରିଲା ନାହିଁ । ଏକ ବିମାନ ଦୁର୍ଘଟଣାରେ ନେତାଜୀ ନିଖୋଜ ହୋଇଯିବା ସମସ୍ତଙ୍କୁ ଆତଙ୍କିତ ଓ ଆଶଙ୍କିତ କରିଦେଲା । ଆଜାଦହୀନ୍ଦ ଫୌଜ ଆଉ ଆଗକୁ ବଢ଼ି ପାରିଲା ନାହିଁ କି ଇଂରେଜଙ୍କ ବିରୋଧରେ ଭାରତର ବିଦ୍ରୋହ ନେତାଜୀଙ୍କ ଯୁଦ୍ଧ ସଫଳ ହୋଇପାରିଲା ନାହିଁ । କିନ୍ତୁ ଏହି ମହାନ ପୁରୁଷ ଇଂରେଜ ଶାସନ କବଳରୁ ଦୁଇଟି ଭୂଖଣ୍ଡକୁ ଉଦ୍ଧାର କରି ସେଠାରେ ଦେଶର ସ୍ୱାଧୀନତା ଘୋଷଣା କରିଥିଲେ ଓ ଆପଣା ବୀରତ୍ୱ ତଥା ଆଜାଦ ହୀନ୍ଦ୍ ଫୌଜର ସାହାସକୁ ବିଶ୍ୱ ଜନମାନସରେ ସ୍ୱୀକୃତ କରିଥିଲେ । ଆଜିଯାଏ ନେତାଜୀଙ୍କର ଏହି ବଳିଦାନକୁ ବିଶ୍ୱ ସ୍ମରଣ କରୁଛି । ତାଙ୍କର ମୃତୁ୍ୟ ହୋଇଛି କି ନାହିଁ ତାହା ଜଣାପଡ଼ି ନାହିଁ । ବିମାନ ଦୁର୍ଘଟଣାରେ ସେ ସହିଦ ହୋଇଛନ୍ତି କି ନାହିଁ କିନ୍ତୁ ସେ ଯେଉଁ ଉଦାହରଣ ସୃଷ୍ଟି କଲେ ତାହା ଅଦ୍ୱିତୀୟ । ଭାରତ ବର୍ଷରେ ଆଉ ଜଣେ ନେତାଜୀ ଖୋଜି ପାଇବା ଅସମ୍ଭବ ।
ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପାଇଁ ଓଡ଼ିଶା ଗର୍ବ ଅନୁଭବ କରେ । କଟକ ମାଟିକୁ ବିଶ୍ୱ ଦରବାରରେ ପରିଚିତ କରାଇଥିଲେ । ଏହି ମହାନ ଯୋଦ୍ଧାଙ୍କ ବିଶ୍ୱପ୍ରୀତି, ଦେଶପ୍ରେମ, ମାନବତା ପ୍ରେମ ତଥା ପ୍ରକୃତି ପ୍ରୀତି ନିକଟରେ ଆମେ ନତମସ୍ତକ ହେଉଛୁ । ନେତାଜୀଙ୍କ ସ୍ମୃତିଚାରଣ ପାଇଁ ରାଜ୍ୟ ସ୍ତରରେ ଓ ଜାତୀୟ ସ୍ତରରେ ଅନେକ କିଛି ଉଦ୍ୟମ ହୋଇଅଛି । ଏବେ ଭାରତ ସରକାର ନେତାଜୀଙ୍କ ଜନ୍ମଦିବସକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ଓ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ମାତ୍ର ନେତାଜୀଙ୍କ ମହାନ ଦେଶପ୍ରେମୀ, ରାଷ୍ଟ୍ରନାୟକ ଭାବରେ ତାଙ୍କର ଅବଦାନକୁ ଗୁରୁତ୍ୱ ଦେବାର ପ୍ରାସଙ୍ଗିକତା ରହିଛି । ତାଙ୍କର ଜୟନ୍ତୀ ଅବସରରେ ନେତାଜୀଙ୍କ ସଂପର୍କରେ ସମସ୍ତ ବିବାଦକୁ ଦୂର କରି ବାସ୍ତବ ଚିତ୍ର ପ୍ରକାଶ ପାଇବା ଆବଶ୍ୟକ । ତାଙ୍କ ମୃତୁ୍ୟକୁ ନେଇ ଯେଉଁ କୁହେଳିକା ସୃଷ୍ଟି ହୋଇଛି ତାହା ଦୂର ହେବା ଜରୁରୀ । ଏହି ମହାନ ଦେଶପ୍ରେମୀଙ୍କ ପାଇଁ ତାହାହିଁ ଉଚିତ୍ ସ୍ମୃତିଚାରଣ ହୋଇପାରିବ ଓ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ଆମେ ମଧ୍ୟ ନିଜକୁ ଧନ୍ୟ ମନେ କରିପାରିବା ।