ବାୟୁସେନା ପକ୍ଷରୁ ଆସନ୍ତା କାଲି ଭୁବନେଶ୍ୱରରେ ହେବ ସୂର୍ଯ୍ୟକିରଣ ଶୋ’

ଭୁବନେଶ୍ୱର: ଆସନ୍ତାକାଲି ରାଜଧାନୀ ଉପକଣ୍ଠରେ ଥିବା କୂଆଖାଇ ନଦୀପଠାରେ ବାୟୁସେନା ପକ୍ଷରୁ ‘ସୂର୍ଯ୍ୟକିରଣ’ ଏୟାର ସୋ’ର ହେବାକୁ ଯାଉଛି । ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ଶୋ’ ଚାଲିବ। ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ମ୍ୟାପିଂ କରାଯିବା ସହ ପଡ଼ିଆର ଅନୁଧ୍ୟାନ କରାଯାଇଛି। ବାୟୁସେନାର ୨ଟି ବିମାନ ଗତକାଲି କୂଆଖାଇ ନଦୀପଠାରେ ପରିଦର୍ଶନ କରିଥିଲା ବେଳେ ଗୁରୁବାର ପୂର୍ଣ୍ଣ ଅଭ୍ୟାସ କରିଛି।

ସୂଚନାଯୋଗ୍ୟ, ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଉପଲକ୍ଷେ ଉଭୟ ଭୁବନେଶ୍ୱର ଏବଂ ପୁରୀରେ ବାୟୁସେନା ପକ୍ଷରୁ ଏୟାର ସୋ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଏୟାର ସୋ’ର ନାମ ‘ସୂର୍ଯ୍ୟକିରଣ’ ରଖାଯାଇଛି । ବାଲିଯାତ୍ରା ପଡ଼ିଆରେ ୧୨ଶହ ଲୋକ ଦେଖିବା ଭଳି ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୫୦ ହଜାର ଲୋକ ସୂର୍ଯ୍ୟକିରଣ ଶୋ’ ଏଠି ଦେଖିପାରିବେ। ୨ଟି ହକ୍ ବିମାନ ଆକାଶ ମାର୍ଗରେ ମ୍ୟାପିଂ କରୁଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂର୍ଯ୍ୟକିରଣ ଶୋ’ ଦେଖିବାକୁ କୂଆଖାଇ ପଠା ବାଲିଯାତ୍ରା ପଡ଼ିଆକୁ ଆସିବେ ବୋଲି ସୂଚନା ମିଳିଛି। ଏୟାର ଶୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୦ ପ୍ଲାଟୁନ୍ ଫୋର୍ସ ସହ ଶହେରୁ ଅଧିକ ବଛା ବଛା ଅଫିସର ନିୟୋଜିତ ରହିବେ ବୋଲି ପୋଲିସ କମିଶନର କହିଛନ୍ତି।

ଅନ୍ୟପକ୍ଷେ, ପୁରୀରେ ଏୟାର ଶୋ’ ପାଇଁ ଏରିଏଲ ରେକି ଅନୁଷ୍ଠିତ ହୋଇଛି। ଆସନ୍ତା ୧୮ ତାରିଖରେ ପୁରୀ ରାଜଭବନ ପାର୍ଶ୍ୱ ବ୍ଲୁ ଫ୍ଲାଗ ବିଚ୍‌ରେ ବାୟୁସେନା ପକ୍ଷରୁ ଆକର୍ଷଣୀୟ ଏୟାର ଶୋ’ ଅନୁଷ୍ଠିତ ହେବ। ପୁରୀରେ ପ୍ରଥମ ଥର ପାଇଁ ଏୟାର ଶୋ’ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି।

ଏହି ସୂର୍ଯ୍ୟକିରଣ ସୋ ରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବାୟୁସେନାର ସ୍ୱତନ୍ତ୍ର ଅଫିସରମାନେ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି। କାର୍ଯ୍ୟକ୍ରମରେ ଯେମିତି କୌଣସି ବାଧା ନ ଉପୁଜେ ତାକୁ ଦୃଷ୍ଟିରେ ରଖି କମିସନେରଟ ପୁଲିସ ପକ୍ଷରୁ ବାୟୁସେନା ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ ଜାରି ରହିଛି। ସୁରୁଖୁରୁରେ ଏହି ଏୟାର ସୋ’ କେମିତି ହେବ ତାର ତଦାରଖ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଏହି ଅବସରରେ କୂଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆର ଆବାହକ ଯଶୋବନ୍ତ ଓଝା ମଧ୍ୟ ଉପସ୍ଥିତ ଥିଲେ। ଏହି ସୋ’ ପାଇଁ ଲୋକମାନେ ଉତ୍ସାହିତ ଥିବା ବେଳେ ଯେମିତି କୌଣସି ସମସ୍ୟା ନହୁଏ ତେଣୁ ପ୍ରଶାସନିକ ଅଧିକାରୀମାନଙ୍କୁ ସହଯୋଗ କରାଯାଉଥିବା ଡିସିପି କହିଛନ୍ତି।

Comments are closed.