ପାର୍ବଣରେ ସତର୍କ ରୁହନ୍ତୁ: ସ୍ୱରାଷ୍ଟ୍ର ସଚିବ

ଅକ୍‌ଟୋବର ମାସ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ୍‌, ସବୁ ରାଜ୍ୟକୁ ଚିଠି ଲେଖିଲେ ସ୍ୱରାଷ୍ଟ୍ର ସଚିବ ।

ଦିଲ୍ଲୀ: ସେପ୍‌ଟେମ୍ବର ୨୯: ଆସନ୍ତା ମାସ ଅକ୍‌ଟୋବର ହେଉଛି ପାର୍ବଣ ମାସ । ଏହି ମାସରେ ଦୂର୍ଗା ପୂଜା ଏବଂ କରକ ଚତୁର୍ଥୀ(କରବା ଚୌଥ) ଭଳି ମୁଖ୍ୟ ହିନ୍ଦୁ ପର୍ବମାନ ରହିଛି । ଏଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପକ୍ଷରୁ ଅକ୍‌ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନୂଆ କୋଭିଡ୍‌ ଗାଇଡଲାଇନ୍‌ ଜାରି କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ ଲାଭା ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି । ଦ୍ୱିତୀୟ ଲହର ସମ୍ପୂର୍ଣ୍ଣ ହୋଇନଥିବା ବେଳେ ତୃତୀୟ ଲହର ବିପଦ ଟଳି ନାହିଁ । ତେଣୁ ପାର୍ବଣ ଋତୁରେ ଅବହେଳା ହେଲେ ସ୍ଥିତି ବିଗିଡ଼ି ଯିବାର ସମ୍ଭାବନା ରହିଛି ବୋଲି ସ୍ୱରାଷ୍ଟ୍ର ସଚିବ ରାଜ୍ୟ ସଚିବମାନଙ୍କୁ ସତର୍କ କରାଇଦେଇଛନ୍ତି ।
ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ନିୟମିତ ଭାବେ ପଜିଟିଭ୍‌ କେସ୍‌ଗୁଡ଼ିକୁ ଯାଞ୍ଚ କରାଯିବ । ହସ୍ପିଟାଲରେ କୋଭିଡ୍‌ ରୋଗୀଙ୍କ ସକାଶେ ସ୍ୱତନ୍ତ୍ର ଶଯ୍ୟା ବୃଦ୍ଧି କରାଯିବା ସହିତ ଆଇସିୟୁ ବେଡ୍‌କୁ ମଧ୍ୟ ଯାଞ୍ଚ କରିବାକୁ କହିଛନ୍ତି । ଯେଉଁ ଜିଲ୍ଲାରେ ଅଧିକ ପଜିଟିଭ ହାର ଅଧିକ ରହିଛି ତାହା ଚିନ୍ତାଜନକ । ଏହିସବୁ ଅଞ୍ଚଳରେ ବ୍ୟାପକ କଟକଣା ଲାଗୁ କରିବାର ଆବଶ୍ୟକତା ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସେପ୍‌ଟେମ୍ବର ୨୧ ମାର୍ଗଦର୍ଶିକା ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ ପଦକ୍ଷେପ ନେବା ଆବଶ୍ୟକ । ବିଶେଷ କରି ୫ ସୂତ୍ର ଫର୍ମୁଲାକୁ ଗୁରୁତ୍ୱ ଦେବା ଆବଶ୍ୟକ । ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌, ଟିକାକରଣ ଓ କୋଭିଡ ଉଚିତ୍‌ ବ୍ୟବହାରକୁ ଗୁରୁତ୍ୱ ଦେବା ଆବଶ୍ୟକ । କୋଭିଡର ଉଚିତ୍‌ ବ୍ୟବହାର ହେଉଛି, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ସାନିଟାଇଜର୍‌ ବ୍ୟବହାର କରିବା ବୋଲି ସ୍ୱରାଷ୍ଟ୍ର ସଚିବ ତାଙ୍କ ଚିଠିରେ ଦର୍ଶାଇଛନ୍ତି ।

Comments are closed.