ପାଟନା: ଖୋଜି ଖୋଜି ଆତଙ୍କବାଦୀଙ୍କୁ ମରାଯିବ । ଆତଙ୍କବାଦୀ ଓ ଷଡ଼ଯନ୍ତ୍ରକାରୀଙ୍କୁ, ସେମାନଙ୍କ କଳ୍ପନାଠାରୁ ଅଧିକ ଦଣ୍ଡ ଦିଆଯିବ । ପାତାଳରେ ଲୁଚିଥିଲେ ବି ଆତଙ୍କବାଦୀଙ୍କୁ ମାରିବୁ । ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ ଆତଙ୍କବାଦୀଙ୍କୁ ଖୋଜି ନିପାତ କରାଯିବ। ଆଜି ପଞ୍ଚାୟତି ରାଜ ଦିବସ ଅବସରରେ ବିହାର ମଧୁବନୀରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦୀଙ୍କ ଉଦ୍ଦ୍ୟେଶରେ ଏହି ବାର୍ତ୍ତା ଦେଇଛନ୍ତି । କାର୍ଯ୍ୟକ୍ରମରେ, ପ୍ରଧାନମନ୍ତ୍ରୀ କହିଛନ୍ତି ଏ ଆକ୍ରମଣ କେବଳ ପର୍ଯ୍ୟଟକଙ୍କ ଉପରେ ହୋଇନି, ଭାରତର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି ଆତଙ୍କବାଦୀ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ଥର ମୋଦି ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ପହଲଗାମ୍ ଘଟଣାକୁ ନେଇ ସାରାଦେଶବାସୀ ଦୁଃଖରେ ଅଛନ୍ତି ।
ଆତଙ୍କବାଦ ଦ୍ୱାରା ଭାରତର ମନୋବଳ ଭାଙ୍ଗିବ ନାହିଁ । ଆତଙ୍କବାଦୀଙ୍କୁ ଦଣ୍ଡ ନ ଦେଇ ଛଡାଯିବ ନାହିଁ । ନ୍ୟାୟ ସୁନିଶ୍ଚିତ ପାଇଁ ସବୁ ପଦକ୍ଷେପ ନିଆଯିବ । ଏ ଦିଗରେ ସାରାଦେଶ ଏକ ରହିଛି । ଯେଉଁମାନେ ମାନବୀୟତାରେ ବିଶ୍ୱାସ କରନ୍ତି ସେମାନେ ଆମ ସହ ଅଛନ୍ତି । ଆତଙ୍କବାଦୀ ଯେଉଁ ଭୂଖଣ୍ଡକୁ ବ୍ୟବହାର କରୁଛନ୍ତି, ତାହାକୁ ସଂପୂର୍ଣ୍ଣ ନଷ୍ଟ କରିଦିଆଯିବ । ୧୪୦ କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା ଆନୁସାରେ ଆତଙ୍କବାଦୀଙ୍କ ଅଣ୍ଟା ଭଙ୍ଗାଯିବ । ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ ଜାରି ରହିବ ବୋଲି ପ୍ରଧନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି।
ସୂଚନାନୁସାରେ,ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମଧୁବନୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ସାଧାରଣ ସଭାକୁ ସମ୍ବୋଧିତ କରି ମୋଦୀ ପହଲଗାମ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାସହ ଅମର ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏହାସହ ପ୍ରଧାନମନ୍ତ୍ରୀ ସଭାରେ ଥିବା ଜନତାଙ୍କ ଉଦ୍ଦ୍ୟେଶରେ କହିଥିଲେ ଆପଣମାନେ ଯେଉଁଠାରେ ଥାଆନ୍ତୁ, ନିଜ ନିଜ ସ୍ଥାନରେ ବସି, ୨୨ ଏପ୍ରିଲରେ ଆମେ ହରାଇଥିବା ପ୍ରିୟଜନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆମେ ସମସ୍ତେ କିଛି ମୁହୁର୍ତ୍ତ ନୀରବ ରହିବା ।