ବୌଦ୍ଧ- କିଆକଟା ମହାନଦୀ ସେତୁ ପାଲଟିଛି ମରଣଯନ୍ତା

ବୌଦ୍ଧ : ବୌଦ୍ଧ- କିଆକଟା ସେତୁ ଏବେ ପାଲଟିଛି ମରଣଯନ୍ତା । ଏହା ଜିଲ୍ଲାର ପ୍ରମୁଖ ପ୍ରବେଶ ଦ୍ୱାର କୁହାଯାଉଥିବା ବେଳେ ବୌଦ୍ଧ କିଆକଟା ମହାନଦୀ ସେତୁର ଦୂରାବସ୍ଥା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ଉତ୍ତର ପ୍ରଦେଶ ବ୍ରିଜ ନିର୍ମାଣ କମ୍ପାନୀ ଦ୍ୱାରା ୨୦୦୨ ମସିହାରେ ଏହି ସେତୁ ସମ୍ପୂର୍ଣ୍ଣ ହେବାପରେ ଏହାର ନିର୍ମାଣକୁ ନେଇ କମ୍ପାନୀ ସହିତ ପୂର୍ତ୍ତ ବିଭାଗ ମଧ୍ୟ ଖୁବ ପ୍ରଶଂସା ସାଉଣ୍ଟିଥିଲା । ପ୍ରାୟ ଦୁଇକିଲୋମିଟର ଲମ୍ବ ଏହି ବ୍ରିଜ ସେତେବେଳେ ମହାନଦୀ ଉପରେ ଦ୍ୱିତିୟ ଦୀର୍ଘତମ ସେତୁ ଭାବରେ ମାନ୍ୟତା ପାଇଥିଲା ।

ସେତୁ ଦେଇ ଦୈନିକ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଯାନ ଯିବା ଆସିବା କରୁଥିବାବେଳେ ବର୍ତମାନ କଟକ ସମ୍ବଲପୁର ରାସ୍ତା ନିର୍ମାଣ କାମ ଚାଲିଥିବା ଯୋଗୁଁ ବହୁ ସଂଖ୍ୟାରେ ଭାରିଯାନ ମଧ୍ୟ ଏହି ସେତୁ ଉପର ଦେଇ ଯିବା ଆସିବା କରୁଅଛି । ଫଳରେ ମୂଳ ସେତୁର କୌଣସି କ୍ଷତି ନହେଲେ ମଧ୍ୟ ସେତୁ ଉପରେ ଢଳାଯାଇଥିବା କଂକ୍ରିଟ ଆସ୍ତରଣ ବାରମ୍ବାର ଫାଟି ଲୁହାଛଡ ସବୁ ବିପଦଜନକ ଭାବରେ ବାହାରକୁ ବାହାରି ରହିଛି ।

The Boudh-Kiakata river bridge damaged

ବୌଦ୍ଧ କିଆକଟା ସେତୁ ଉପରେ ବିପଦଜ୍ଜନକ ଭାବରେ ବାହାରି ରହିଥିବା ଲୁହା ଛଡ ଓ ସୃଷ୍ଟି ହୋଇଥିବା ବଡ ବଡ ଖାଲ ଯୋଗୂଁ ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ଘଟୁଛି । ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାର ବାରମ୍ବାର ମରାମତି କରାଯାଉଥିଲେ ମଧ୍ୟ ଅଳ୍ପଦିନ ପରେ ପୁଣିଥରେ କଂକ୍ରିଟ ଫାଟି ଛଡସବୁ ବାହାରି ଖାଲ ସୃଷ୍ଟି ହୋଇଯାଉଥିବା ଦେଖାଯାଉଛି । ଏହି ସେତୁ ଉପରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନ ଜୀବନ ମଧ୍ୟ କ୍ଷତି ହୋଇସାରିଲାଣି । ହେଲେ ସେତୁ ଉପରେ ସୃଷ୍ଟି ହୋଇଥିବା ଖାଲ ଓ ବାହାରିଥିବା ଛଡର ସ୍ଥାୟୀ ମରାମତି କରାଯାଉନଥିବାରୁ ସବୁବେଳେ ଦୁର୍ଘଟଣାର ଆଶଙ୍କା ଲାଗି ରହୁଛି ।

ଐତିହାସିକ ବୌଦ୍ଧ ସହରର ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ ଦିଆଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇବର୍ଷ ପୂର୍ବରୁ ଏହି ସେତୁର ଆଲୋକୀକରଣ କରାଯାଇଥିଲା । ସେତୁ ଆଲୋକୀକରଣ କରାଗଲା ସିନା ସୌନ୍ଦର୍ଯ୍ୟକରଣତ ଦୂରର କଥା ସେତୁ ଉପରେ ଅଧାରୁ ଅଧିକ ଲାଇଟ ଜଳୁନଥିବା ଦେଖାଯାଉଅଛି । ବର୍ତମାନ ଜିଲ୍ଲାରେ ମହାନଦୀ ଉପରେ ଧଳପୁର ଆଠମଲ୍ଲିକ ଓ ବୌଦ୍ଧ ମର୍ଜାକୁଦ ମଧ୍ୟରେ ଦୁଇଗୋଟି ସେତୁ ନିର୍ମାଣ କରାଯାଇ ଉଦଘାଟନ ଅପେକ୍ଷାରେ ଥିବାବେଳେ ମାତ୍ର ୨୦ ବର୍ଷ ତଳେ ନିର୍ମିତି ବୌଦ୍ଧ କିଆକଟା ସେତୁର ସୁରକ୍ଷା ପ୍ରତି ଜାତୀୟ ରାଜପଥ ବିଭାଗ ପକ୍ଷରୁ ଦୃଷ୍ଟି ଦିଆନଯିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରୁଅଛି । ତେଣୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ବୌଦ୍ଧ କିଆକଟା ସେତୁ ଉପରେ ବିପଦଜନକ ଭାବରେ ବାହାରି ରହିଥିବା ଛଡ ଓ ସୃଷ୍ଟି ହୋଇଥିବା ବଡ ବଡ ଖାଲର ତୁରନ୍ତ ମରାମତି କରାଯିବାକୁ ବୁଦ୍ଧଜିବୀ ମହଲରେ ମତପ୍ରକାଶ ପାଉଛି ।

Har Ghar Tiranga