ଭୁବନେଶ୍ୱର : ଆଉ ନାହାନ୍ତି କିମ୍ବଦନ୍ତୀ ନାୟକ ଉତ୍ତମ ମହାନ୍ତି । ତାଙ୍କ ବିୟୋଗରେ ନେତା, ଅଭିନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଅନ୍ୟପଟେ ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଲିଭର ସିରୋସିସ୍ ସହ ନିମୋନିଆର ଚିକିତ୍ସା ଚାଲିଥିଲା । ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚିରବିଦାୟ ନେଇଛନ୍ତି ଉତ୍ତମ । ସାରା ରାଜ୍ୟରେ ଶହଶହ ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା କରିଥିଲେ। କିନ୍ତୁ ତାଙ୍କ ବିୟୋଗରେ ଆଜି ସାରା ଓଡିଶା କାନ୍ଦୁଛି ।
ଶୁକ୍ରବାର ଦିନ ୧୧.୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ଉତ୍ତମଙ୍କ ପାର୍ଥିବ ଶରୀର । ଏହାପରେ ଭୁବନେଶ୍ବର ସ୍ଥିତ ବାସଭବନକୁ ଆସିବ ମରଶରୀର । ସେଠାରେ ଶେଷ ଦର୍ଶନ ପାଇଁ ସେଠାରେ ୩ରୁ ୪ ଘଣ୍ଟା ରହିବ ମରଶରୀର । ଏହା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସମ୍ପନ୍ନ ହେବ ଓଲିଉଡ୍ ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ । ସତ୍ୟନଗର ମଶାଣିରେ ଶେଷକୃତ୍ୟ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ ପାର୍ଥିବ ଶରୀର ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଉଛି। ପୁଅ ବାବୁଶାନ ଏବଂ ବୋହୂ ତୃପ୍ତି ଅନ୍ୟ ଡାକ୍ତରୀ ଦଳଙ୍କ ପାର୍ଥିବ ଶରୀର ଧରି ଆସୁଛନ୍ତି । ସେହିପରି ଭୁବନେଶ୍ବର ଜଗନ୍ନାଥବିହାର ସ୍ଥିତ ଘରେ ପହଞ୍ଚିଛନ୍ତି ଅପରାଜିତା ମହାନ୍ତି । ବନ୍ଧୁ, ପରିଜନମାନେ ଜଣଙ୍କ ପରେ ତାଙ୍କୁ ଆଶ୍ୱାସନା ଦେବା ପାଇଁ ପହଞ୍ଚୁଛନ୍ତି ।
.ଚାଟାର୍ଡ୍ ଆକାଉଣ୍ଟାରୁ ହୋଇଥିଲେ ଅଭିନେତା ।
.୧୯୭୭ ମସିହାରେ ସିନେମା ଜଗତରେ ପ୍ରଥମେ ପାଦ ଥାପି ଥିଲେ ।
.ପ୍ରଥମ ଚଳଚ୍ଚିତ୍ର ଥିଲା ‘ଅଭିମାନ’।
.୧୯୮୪ର ‘ଦଣ୍ଡା ବାଳୁଙ୍ଗା’ ଚଳଚ୍ଚିତ୍ର ଦେଇଥିଲା ଭିନ୍ନ ପରିଚୟ ।
.ଓଡ଼ିଆ, ବଙ୍ଗାଳୀ ଏବଂ ହିନ୍ଦୀ ଭାଷାରେ କରିଛନ୍ତି ନିଖୁଣ ଅଭିନୟ ।
.୧୩୫ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ କରିଛନ୍ତି ଅଭିନୟ ।
.୩୦ଟି ବଙ୍ଗାଳୀ ସିନେମାର ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ।
.୧୯୮୭ ମସିହାରେ ଓଲିଉଡ୍ କ୍ୱିନ୍ ଅପରାଜିତଙ୍କୁ ବିବାହ କରିଥିଲେ ।
.୧୯୮୨ରୁ ୧୯୮୪ ଯାଏଁ ଲଗାତର ୩ ଥର ପାଇଛନ୍ତି ଶ୍ରେଷ୍ଠ ଅଭିନେତା ପୁରସ୍କାର ।
.୨୦୨୫ ଫେବୃଆରୀ ୨୭ରେ ବିୟୋଗ ।
ଉତ୍ତମ ମହନ୍ତି ୧୯୫୮ ମସିହା ଡିସେମ୍ବର ୨୩ ତାରିଖରେ ବାରିପଦାରେ ଜନ୍ମ । ଏମ୍କେସି ହାଇସ୍କୁଲ୍ରେ ୧୦ମ ପାସ୍ ପରେ ବିଜ୍ଞାନ ଛାତ୍ର ଭାବରେ ବାରିପଦା ଏମ୍ପିସି କଲେଜ ଯାଇଥିଲେ । କଲେଜରେ ଗୀତ ଗାଇବା, ଅଭିନୟ କରିବା ପ୍ରତି ଦୁର୍ବଳତା ଥିଲା । ଏହା ସହ କଲେଜରେ ବ୍ୟାଡ୍ମିଣ୍ଟନ୍ ଓ ଟେବୁଲ୍ ଟେନିସ୍ ଖେଳୁଥିଲେ । କମର୍ସରେ ଗ୍ରାଜୁଏସନ୍ ପାସ୍ କରିବା ପରେ ଚାର୍ଟାର୍ଡ ଆକାଉଣ୍ଟାନ୍ସି ପଢ଼ିବା ପାଇଁ ଲୁଧିଆନା ଚାଲି ଯାଇଥିଲେ । ତାଙ୍କର ବଡ଼ ଭାଇ ଅରୁଣ କୁମାର ମହାନ୍ତି ସେତେବେଳେ କୋଲକାତାରେ ରହୁଥିଲେ । ସେହି କାରଣରୁ ସେ ଆସି ତାଙ୍କ ବଡ଼ ଭାଇଙ୍କ ପାଖରେ ରହିଥିଲେ । ମାତ୍ର ପାଠରେ ତାଙ୍କର ମନ ନଲାଗିବାରୁ ପୁଣି ଠାରେ ବାରିପଦା ଲେଉଟି ଆସିଥିଲେ I ଏହାପରେ ୧୯୭୭ ମସିହାରେ ସାଧୁ ମେହେରଙ୍କ ନିର୍ଦେଶନାରେ ‘ଅଭିମାନ’ ନାମକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତି କରୁଥିଲେ। ଏଥିରେ ଉତ୍ତମ ମହାନ୍ତି ହିରୋ ଭାବେ ଅଭିନୟ କରିବାକୁ ମନୋନୀତ ହୋଇଥିଲେ। ସେତେବେଳେ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିଲା ଏହି ଫିଲ୍ମ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଡେବ୍ୟୁ କରିଥିଲେ ଉତ୍ତମ। ବାସ୍ ତା’ପରେ ସେ ଆଉ ପଛକୁ ଫେରିନାହାନ୍ତି। ଏହାପରେ ୧୯୭୯ ମସିହାରେ ଚିହ୍ନା ଅଚିହ୍ନା, ନିଝୁମ୍ ରାତିର ସାଥୀ ଭଳି ସୁପର୍ ହିଟ୍ ଫିଲ୍ମ ଭେଟି ଦେଇଥିଲେ ଉତ୍ତମ । ୧୯୮୦ ମସିହାରେ ରାମାୟଣ ଫିଲ୍ମ ବେଶ୍ ଆଦୃତି ଲାଭ କରିଥିଲା। ପରେ ପରେ ରାମ ବଳରାମ, ଅକ୍ଷୟ ତୃତୀୟା, ଆରତୀ, ଦେବଯାନୀ ଭଳି ଫିଲ୍ମ ୧୯୮୧ ମସିହାର ବେଶ୍ ଚହଳ ସୃଷ୍ଟି କରିଥିଲା। ୧୯୮୨ ମସିହାରେ ଫୁଲଚନ୍ଦନ, ଅସ୍ତରାଗ, ଦେଖ୍ ଖବର୍ ରଖ ନଜର, ଜ୍ଵାଇଁ ପୁଅ, ୧୯୮୩ ମସିହାରେ ଅଭିଳାଷ, ଝିଅଟି ସୀତା ପରି, ରାମ ରହିମ୍ ହିଟ୍ ହୋଇଥିଲା। ୧୯୮୪ ମସିହାରେ ତାଙ୍କ ଅଭିନୀତ ଜାଇଫୁଲ, ଜନନୀ, ୧୯୮୫ ମସିହାରେ ଚକା ଭଉଁରି, ଜଗା ହାତରେ ପଘା, ମମତା ମାଗେ ମୂଲ, ପଳାତକ, ସମୟ ବଡ଼ ବଳବାନ୍, ଶଙ୍ଖା ସିନ୍ଦୁର ଯେମିତି ଚହଳ ପକାଇଥିଲା, ୧୯୮୬ ମସିହାରେ ସହରୀ ବାଘ, ସତ କେବେ ଲୁଚି ରହେନା, ସ୍କୁଲ ମାଷ୍ଟର, ଏଇ ଆମ ସଂସାର, ଜୋର୍ ଯାର ମୁଲକ ତାର୍, ପକା କମ୍ଵଳ ପୋତ ଛତା ବେଶ ଆଦୃତ ହୋଇଥିଲା। ୧୯୮୭ ମସିହାରେ ସୁନା ଚଢ଼େଇ, ତୁଣ୍ଡ ବାଇଦ, ବଧୁ ନିରୁପମା, ଚକା ଆଖି ସବୁ ଦେଖୁଛି, ଏଇ ତ ଦୁନିଆ, ଗୋଲାମଗିରି, ଅନ୍ୟାୟ ସହିବି ନାହିଁ, ମିଛ ମାୟାର ସଂସାର ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁଥିଲା। ୧୯୮୮ ମସିହାରେ ଥିଲି ଝିଅ ହେଲି ବୋହୂ, ଯାହାକୁ ରଖିବେ ଅନନ୍ତ, ବଡ଼ ଭାଉଜ, କନ୍ଯାଦାନ, ପାପ ପୁଣ୍ୟ, ପୁଅ ମୋର କଳା ଠାକୁର, ଚକା ଡୋଳା କରୁଛି ଲୀଳା ଦର୍ଶକଙ୍କ ମଧ୍ୟରେ ଆଦୃତ ହୋଇଥିଲା। ୧୯୮୯ ରେ ଦଇବ ଦଉଡ଼ି, ହସ ଲୁହ ଭରା ଦୁନିଆ, ରଜନୀଗନ୍ଧା, ନ୍ୟାୟ ଅନ୍ୟାୟ, ପରଦେଶୀ ଚଢ଼େଇ ଓ ଠାକୁରେ ଅଛନ୍ତି ଚଉବାହାକୁ ଉତ୍ତମ ମହାନ୍ତିଙ୍କ ଅଭିନୟର ଶ୍ରେଷ୍ଠ ସମୟ କରିଲେ ଭୁଲ ହେବ ନାହିଁ। ୧୯୯୦ ମସିହାରେ ମୁକ୍ତି ଲାଭ କରିଥିବା ଟୋପାଏ ସିନ୍ଦୁର ଦୁଇ ଟୋପା ଲୁହ, ଶାସ୍ତି, ଯା ଦେବୀ ସର୍ବ ଭୁତେଷୁ, ଗୋପ ବଢୁଛି କଳା କହ୍ନେଇ, ରାଜାରାଣୀ, କଣ୍ଢେଇ, ପଞ୍ଚୁ ପାଣ୍ଡବ, ନୂଆ ଭାଉଜ ଓ ବିଧିର ବିଧାନ ଦର୍ଶକ ମହଲରେ ବେଶ ଚହଳ ପକାଇଥିଲା।
ଉତ୍ତମ ମହାନ୍ତି କେବଳ ଓଡିଆ ନୁହେଁ ହିନ୍ଦୀ ଫିଲ୍ମରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ହିନ୍ଦି ଫିଲ୍ମ ‘ନୟା ଜହର’ରେ ସେ ଅଭିନୟ କରିଥିଲେ । ୧୯୯୧ ମସିହାରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା । ଯାହାକୁ ନିର୍ଦ୍ଦେଶନା ଦେଇଥିଲେ ଜ୍ୟୋତି ସରୂପ । ତେବେ ୨୦୨୨ରେ ରିଲିଜ୍ ହୋଇଥିବା ବିଦ୍ୟାରାଣ ଚଳଚ୍ଚିତ୍ରରେ ଶେଷ ଥର ପାଇଁ ସେ ନିଜ ପୁଅ ତଥା ଓଲିଉଡର ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ସହ ବଡ଼ ପରଦାରେ ଆସିଥିଲେ ।
ଶୁକ୍ରବାର ଦିନ ୧୨ ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲା ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର I ଦିଲ୍ଲୀର ମେଦାନ୍ତ ହସ୍ପିଟାଲରୁ ବାପାଙ୍କ ପାର୍ଥିବ ଶରୀରକୁ ନେଇ ପୁଅ ବାବୁସାନ ଏବଂ ତୃପ୍ତି ନେଇକି ଓଡ଼ିଶା ପହଞ୍ଚିଛନ୍ତି । ଏହା ପରେ ଜଗନ୍ନାଥ ବିହାରସ୍ଥିତ ତାଙ୍କ ବାସଭବନରେ ଶେଷ ଦର୍ଶନ ହେବ । ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ସତ୍ୟନଗରେ ଶ୍ମଶାନକୁ ନିଆଯିବ । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ଶେଷ କୃତ୍ୟ କରାଯିବ ବୋଲି ତାଙ୍କର ପାରିବାରିକ ବନ୍ଧୁ ରବି ମିଶ୍ର ସୂଚନା ଦେଇଛନ୍ତି ।