ଯେଉଁ ସଂଗଠନ ବାଲ୍ୟ ବିବାହ ରୋକିବେ ସ୍ୱାଧୀନତା ଦିବସରେ ସମ୍ମାନିତ ହେବେ-ଜିଲ୍ଲା ପ୍ରଶାସନ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପ୍ରଶାସନ ପ୍ରଚେଷ୍ଟାରେ ଜାତି ସମାଜ ଓ ଧାର୍ମିକ ସଂଗଠନର ମୁଖ୍ୟ ମାନଙ୍କୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାପାଳ ଉପସ୍ଥିତ ବିଭିନ୍ନ ଜାତି ସମାଜ ଓ ଧାର୍ମିକ ସଂଗଠନର ମୁଖ୍ୟ ମାନଙ୍କୁ ନିଜ ନିଜ ଜାତି ସମାଜ ଓ ଧାର୍ମିକ ସଂଗଠନରେ କୌଣସି ବାଲ୍ୟ ବିବାହ ଘଟଣାକୁ ପ୍ରଶ୍ରୟ ନଦେବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ସେ ସମସ୍ତଙ୍କୁ ନିଜ ଜାତି ସମାଜର କୌଣସି ଝିଅକୁ ଅତିକମରେ ୧୮ ବର୍ଷ ପୂର୍ବରୁ ଓ ପୁଅକୁ ଅତିକମରେ ୨୧ ବର୍ଷ ପୂର୍ବରୁ ବିବାହ କରାଇବେ ନାହିଁ ବୋଲି କହିଥିଲେ । ଯଦି ତଥାପି ବିବାହ କରୁଛନ୍ତି ତାହା ହେଉଛି ବାଲ୍ୟ ବିବାହ କରାଇବା ଏବଂ ଏହା ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ । ଯଦି ବାଲ୍ୟ ବିବାହ ହେଉଥିବାର ଖବର କାହାର ନଜରକୁ ଆସେ ତେବେ ଜାତି ସମାଜ ତରଫରୁ ପ୍ରଥମେ ଉଭୟ ପରିବାରକୁ ଉପଯୁକ୍ତ ପରାମର୍ଶ ପ୍ରଦାନ କରି ଉକ୍ତ ବିବାହକୁ ବନ୍ଦ କରିବେ ଏବଂ ଉପଯୁକ୍ତ ବୟସ ହେଲେ ଉଭୟ ପରିବାରର ସହମତି କ୍ରମେ ସେମାନଙ୍କ ବିବାହ କରିବା ପାଇଁ ପରାମର୍ଶ ପ୍ରଦାନ କରିବେ ବୋଲି ଆହ୍ୱାନ ଦେଇଥିଲେ ।

ଯେଉଁ ଜାତି ସମାଜ ଅଧିକ ବାଲ୍ୟ ବିବାହ ରୋକିଥିବେ ସେମାନଙ୍କୁ ସ୍ୱାଧୀନତା ଦିବସରେ ଜିଲ୍ଲାସ୍ତରୀୟ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ । ଜିଲ୍ଲାପ୍ରଶାସନ ଜିଲ୍ଲାର ସମସ୍ତ ଜାତି ସମାଜ ଓ ଧାର୍ମିକ ସଂଗଠନର ମୁଖ୍ୟ ମାନଙ୍କ ଉଦ୍ଦେଶ୍ୟରେ ଏକ ଚିଠି ପ୍ରେରଣ କରିଛନ୍ତି । ଉକ୍ତ ଚିଠିରେ ସେ କହିଛନ୍ତି ଯେ, ୧୮ ବର୍ଷ ପୁର୍ବରୁ କୌଣସି ପୁଅ ବା ଝିଅ ସହିତ ଶାରୀରିକ ବା ଯୌନ ସମ୍ପର୍କ ସ୍ଥାପନ ହେଲେ ଏହାକୁ ଯୌନ ଶୋଷଣ କୁହାଯାଏ । ପୁଅ ବା ଝିଅର ଜନ୍ମ ସାର୍ଟିଫିକେଟ, ବିଦ୍ୟାଳୟର ପାଠ ପଢା ସାର୍ଟିଫିକେଟ ରେଜିଷ୍ଟେରରୁ ବୟସ ଯାଞ୍ଚ କରାଇ ପାରିବେ । ଏଥିରେ ପୁଅ ହେଉ ଅବା ଝିଅ ଯଦିଓ ସେମାନେ ନିଜର ସହମତି ପ୍ରକାଶ କରି ଶାରୀରିକ ବା ଯୌନ ସମ୍ପର୍କ ସ୍ଥାପନ କରନ୍ତି ତଥାପି ଏହାକୁ ଆଇନ ଅନୁସାରେ ବାରଣ କରାଯାଇଛି । କୌଣସି ପରିସ୍ଥିତିରେ ମଧ୍ୟ ୧୮ ବର୍ଷରୁ କମ ବୟସର ଝିଅ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରାଯାଇ ପାରିବ ନାହିଁ । କାରଣ ୧୮ ବର୍ଷରୁ କମ ବୟସର ଝିଅ କ୍ଷେତ୍ରରେ ଉଭୟ ମା ଓ ଶିଶୁର ଜୀବନ ପ୍ରତି ବିପଦ ରହୁଛି ଏପରିକି ମା ବା ଶିଶୁର ଜୀବନ ଚାଲିଯିବାର ସମ୍ଭାବନା ରହିଛି ।

ଏହାକୁ ନଜରରେ ରଖି ଦେଶରେ ଓ ରାଜ୍ୟରେ ବାଲ୍ୟ ବିବାହ ରୋକିବା ନିମନ୍ତେ ବାଲ୍ୟ ବିବାହ ନିଷେଧ ଆଇନ ପ୍ରଣୟନ ହୋଇଛି । ଏହି ଆଇନ ଅନୁସାରେ ବାଲ୍ୟ ବିବାହ କରିବା, କରାଇବା ଓ କରାଇବାରେ ସହଯୋଗ କରିବା ହେଉଛି ଏକ ଦଣ୍ଡନୀୟ ଅପରାଧ । ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ପାଖକୁ ବାଲ୍ୟ ବିବାହ ହେଉଥିବାର ଖବର ଆସି ପହଞ୍ଚୁଛି । ଖବର ପାଇଲା ମାତ୍ରେ ଜିଲ୍ଲା ପ୍ରଶାସନ ତରଫରୁ ବାଲ୍ୟ ବିବାହ ନିଷେଧ ଅଧିକାରୀ, ଚାଇଲïଲାଇନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ପୋଲିସ ଅଧିକାରୀମାନେ ପହଞ୍ଚି ବାଲ୍ୟବିବାହକୁ ରୋକିବା ପାଇଁ ପ୍ରୟାସ କରୁଛନ୍ତି । ସେ ଜାତି ସମାଜର ମୁଖ୍ୟ ମାନଙ୍କୁ ଅନୁରୋଧ କରି କହିଥିଲେ ଯେ, ନିଜ ନିଜ ଜାତି ସମାଜରେ ଏହି ବିଷୟରେ ଆଲୋଚନା କରି ବାଲ୍ୟ ବିବାହ ରୋକିବେ ଯଦି ଅସୁବିଧା ଅନୁଭବ କରନ୍ତି ତେବେ ପ୍ରଶାସନିକ ସହଯୋଗ ପାଇଁ ଜଣାଇବେ । ଯଦି କୌଣସି ସ୍ଥାନରେ ବାଲ୍ୟ ବିବାହ ହେଉଥିବାର ନଜରକୁ ଆସେ ତେବେ ସି.ଡି.ପି.ଓ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ, ଚାଇଲï ଲାଇନ (୧୦୯୮), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନଜରକୁ ଆଣିବେ । ଏହା ସହିତ ସେ ଅନୁରୋଧ କରିଥିଲେ ଯେ, ନିଜ ନିଜ ଜାତି ସମାଜରେ ପୁଅ ତୁଳନାରେ ଝିଅମାନଙ୍କ ସଂଖ୍ୟାକୁ ହିସାବକୁ ନେଇ କନ୍ୟା ସନ୍ତାନ ମାନଙ୍କର ସୁରକ୍ଷା ଓ ସେମାନଙ୍କ ସ୍ୱପ୍ନ ପୁରଣ ପାଇଁ ଜାତି ସମାଜ ତରଫରୁ ପଦକ୍ଷେପ ମାନ ଗ୍ରହଣ କରିବେ । ପ୍ରଶାସନ ତରଫରୁ ୬ ରୁ ୧୪ ବର୍ଷର ସମସ୍ତ ଶିଶୁଙ୍କୁ ନିଃଶୁÂ ଶିକ୍ଷା ପ୍ରଦାନ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଛି । ସମସ୍ତେ ପଢିବା ଆବଶ୍ୟକ ତେଣୁ ନିଜ ନିଜ ଜାତି ସମାଜରେ ଏହି ବିଷୟରେ ଆଲୋଚନା କରି ସମସ୍ତ ଶିଶୁଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇବେ । ନିର୍ମାଣ ଶ୍ରମିକ ବୋର୍ଡ ଦ୍ୱାରା ମଧ୍ୟ କାର୍ଡ ଧାରୀ ମାନଙ୍କ ପରିବାରର ପିଲା ମାନଙ୍କ ନିମନ୍ତେ ଶିକ୍ଷା ସହାୟତା ଯୋଜନା ରହିଛି । ଏପରିକି ୧୮ ବର୍ଷରୁ ଅଧିକ ବୟସରେ ବିବାହ କଲେ ୫୦ହଜାର ଟଙ୍କାର ସହାୟତା ରାଶି ରହିଛି ବୋଲି ଜଣାଇଥିଲେ । ପ୍ରକାଶ ଥାଉ କି ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ସମନ୍‌ୟରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟଖସଡା ପ୍ରସ୍ତୁତ ହୋଇଛି । ତଦାନୁସାରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରାୟଗଡା ଜିଲ୍ଲାକୁ ସଂପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ପରିଗଣିତ କରିବାକୁ ପ୍ରଚେଷ୍ଟା ଜାରି ରହିଛି ।

Comments are closed.