ଦୂର ହେବ ଆଳୁ ସଙ୍କଟ ,ଉତ୍ତରପ୍ରଦେଶରୁ ଆସି ପହଁଚିଲା ଆଳୁ ଗାଡି

ଭୁବନେଶ୍ୱର- ପଶ୍ଚିମ ବଙ୍ଗ ସରକାର ଆଳୁ ଯୋଗାଣ ବନ୍ଦ କରିବା ପରେ ରାଜ୍ୟରେ ବଢିଛି ଆଳୁ ଦର। ବଜାରରେ ଆଳୁ ଦର ୩୫ ଟଙ୍କାରୁ ବଢି ୬୦ ଟଙ୍କାରେ ବିକ୍ରି ହେଉଛି । କିଛି ଅସାଧୁ ବ୍ୟବସାୟୀ ଆଳୁ ଗୋଦାମରେ ଲୁଚେଇ ରଖି ଅଭାବ ପାଇଁ ବାଟ ଫିଟାଉଛନ୍ତି । ଫଳରେ ଦର ଆହୁରି ବୃଦ୍ଧି ପାଇବ । ଏହାକୁ ଦୃଷ୍ଟିରେ ରଖି ଟ୍ୱିନସିଟିରେ ଯୋଗାଣ ଅଧିକାରୀ ଆଳୁ ଗୋଦାମ ଓ ଦୋକାନ ଉପରେ ରେଡ ଜାରି ରଖିଛନ୍ତି । ଚଢା ଦରରେ କିଛି ବ୍ୟବସାୟୀ ଆଳୁ ବିକ୍ରି କରିବା ଅଭିଯୋଗ ପରେ ଯୋଗାଣ ବିଭାଗ ତରଫରୁ ଏହି ରେଡ ହେଉଛି । ଭୁବନେଶ୍ୱରର ୟୁନିଟ୪ ମାର୍କେଟରେ ଯୋଗାଣ ଅଧିକାରୀ ରେଡ କରୁଛନ୍ତି ।

ଆଳୁକୁ ନେଇ କୌଣସି କଳା ବଜାରକୁ ପ୍ରଶ୍ରୟ ଦିଆଯିବ ନାହିଁ, ଏହା ଉପରେ ଶକ୍ତ ରହିଛି ମୋହନ ସରକାର ଆଭିମୁଖ୍ୟ । ତେଣୁ ଗୋଦାମରେ ଆଳୁ ଲୁଚେଇ ବଜାରରେ କୌଣସି ପ୍ରକାର ଆଳୁ ଅଭାବ ସୃଷ୍ଟି ଉପରେ ସରକାର ତୀକ୍ଷ୍ନ ଦୃଷ୍ଟି ରଖିଛି । ଅଭିଯୋଗ ପରେ ରେଡ ଜାରି ରହିଛି ।

ଅନ୍ୟପଟେ,ରାଜ୍ୟରେ ଟଳିବ ଆଳୁ ସଙ୍କଟ । ଉତ୍ତର ପ୍ରଦେଶରୁ ଆସି ପହଂଚିଛି ଆଳୁ ଟ୍ରକ । ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ପହଁଞ୍ଚିଲା ଆଳୁ ଗାଡ଼ି । ଆଜି ସକାଳେ ପ୍ରଥମେ ୧୦ ରୁ ୧୨ ଟି ଆଳୁ ଟ୍ରକ ଆଇଗିଣିଆ ସ୍ଥିତ ଆଳୁ ଗୋଦାମରେ ପହଞ୍ଚିଛି । ସେହିପରି କଟକ ଛତ୍ରବଜାରରେ ସକାଳୁ ସକାଳୁ ଗୋଟିଏ ଆଳୁ ଟ୍ରକ ପହଁଚିଛି । ଆଗକୁ ଆହୁରି ୩୦୦ ଟ୍ରକ୍ ଆଳୁ ଓଡିଶା ବଜାରକୁ ଆସିବ । ଆଳୁ ଆସିବା ପରେ ବର୍ଦ୍ଧିତ ଦରରେ ଲାଗିପାରେ ରୋକ୍ ।ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଓଡ଼ିଶାକୁ ଆଳୁ ଚାଲାଣ ବନ୍ଦ କରି ଦେଇଛନ୍ତି ମମତା ସରକାର। ତେଣୁ ପଶ୍ଚିମବଙ୍ଗର ମନମାନୀ ଭାଙ୍ଗିବାକୁ ୟୁପିକୁ ବିକଳ୍ପ ଭାବେ ବାଛିଛନ୍ତି ରାଜ୍ୟ ସରକାର ।

ଅପରପକ୍ଷେ ଗତକାଲି ଯୋଗାଣ ବିଭାଗର ଅଧିକାରୀମାନେ କୁବେରପୁରୀରେ ଆଳୁ ଗୋଦାମ ଯାଞ୍ଚ କରିବା ସହ ଆଳୁ ଯୋଗାଣ ଯେପରି ସ୍ବାଭାବିକ ହେବ, ସେ ନେଇ ବ୍ୟବସାୟୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ କୁବେରପୁରୀ ବ୍ୟବସାୟୀ ସଂଘର ସଭାପତି ମନୋଜ ଜେନା ଓ ସମ୍ପାଦକ ଶକ୍ତିଶଙ୍କର ମିଶ୍ର ସୂଚନା ଦେଇଛନ୍ତି ଯେ ଆଳୁ କେଜି ୩୬ଟଙ୍କାରୁ ଅଧିକରେ ଆଳୁ ବିକ୍ରି ନ କରିବାକୁ ନିଷ୍ପତ୍ତି ହୋଇଛି

Har Ghar Tiranga