ପ୍ରୟାଗରାଜ : ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରୟାଗରାଜ ତ୍ରିବେଣୀ ସଂଗମରେ ରାଷ୍ଟ୍ରପତି ବୁଡ଼ ପକାଇଛନ୍ତି । ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବୁଡ ପକାଇବା ସହ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି। ଅକ୍ଷୟବଟ ଓ ହନୁମାନ ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ମହାମହିମ। ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ସେଠାରେ ୮ ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି ।
ସୋମବାର ପୂର୍ବାହ୍ନ ୧୦ଟାରେ ବିମାନ ବନ୍ଦରରେ ପହଞ୍ଚିଥିଲେ ମହାମହିମ । ସେଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ୍ ତାଙ୍କୁ ସ୍ବାଗତ କରିଥିଲେ । ଏହାପରେ ରାଷ୍ଟ୍ରପତି ପ୍ରୟାଗରାଜରେ ପହଞ୍ଚିବା ପରେ ନୌବିହାର କରିଥିଲେ । ନୌବିହାର ବେଳେ ଶହ ଶହ ସଂଖ୍ୟାରେ ବିଦେଶାଗତ ପକ୍ଷୀ ମାନଙ୍କୁ ଖାଦ୍ୟ ଖୁଆଇଥିଲେ। ପ୍ରୟାଗରାଜରେ ରାଷ୍ଟ୍ରପତି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରହିବା କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କୁମ୍ଭମେଳାରେ ଏପର୍ଯ୍ୟନ୍ତ ୪୦ କୋଟିରୁ ଅଧିକ ଲୋକ ବୁଡ଼ ପକାଇସାରିଲେଣି ବୋଲି ସୂଚନା ରହିଛି ।
ଏହାପରେ ରାଷ୍ଟ୍ରପତି ସନ୍ଧ୍ୟା ୫ଟା ୪୫ରେ ପ୍ରୟାଗରାଜରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ରାଷ୍ଟ୍ରପତିଙ୍କ ଏହି ଗସ୍ତ କେବଳ ପ୍ରୟାଗରାଜ ପାଇଁ ଐତିହାସିକ ହେବ ନାହିଁ ବରଂ ଦେଶବ୍ୟାପୀ ସନାତନୀ ଭକ୍ତମାନଙ୍କ ପାଇଁ ଏକ ପ୍ରେରଣାଦାୟକ ମୁହୂର୍ତ୍ତ ହେବ। ଆଜି ରାଷ୍ଟ୍ରପତିଙ୍କ ଉପସ୍ଥିତି ମହାକୁମ୍ଭର ଧାର୍ମିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱକୁ ଏକ ନୂତନ ଦିଗ ଓ ବାର୍ତ୍ତା ଦେବ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)