ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ମୁଦ୍ରାନୀତି କମିଟି(ଏମ୍ପିସି) ଆସନ୍ତା ୩ ତାରିଖରେ ଏକ ଅତିରିକ୍ତ ବୈଠକ କରିବାକୁ ଯାଉଛି । ସାମ୍ପ୍ରତିକ ସ୍ଥିତି, ଟଙ୍କାର ପତନ, ଦରବୃଦ୍ଧି ଆଦି କେତେକ ବିଷୟ ଉପରେ ଏଥିରେ ଆଲୋଚନା କରାଯାଇପାରେ। ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭ .୪ ପ୍ରତିଶତକୁ ବୃଦ୍ଧିକୁ ଦୃଷ୍ଟିରେ ରଖି ଆର୍ବିଆଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରନ୍ତି । ୧୨ ଅକ୍ଟୋବରରେ ପ୍ରକାଶିତ ଖାଉଟି ମୁଦ୍ରାସ୍ପିତି ହାର(ସିପିଆଇ) ୭.୪୧% ରହିଥିଲା। ଯାହା ଗତ ତିନି ତ୍ରୈମାସିକରେ ସର୍ବାଧିକ ରହିଛି। ଯାହା ରିଜର୍ଭ ବ୍ୟାଙ୍କର ନିର୍ଦ୍ଧାରିତ ୨ରୁ ୬% ରୁ ଉର୍ଦ୍ଦରେ ରହିଛି। ବିଭିନ୍ନ ପ୍ରୟାସ ସତ୍ତ୍ୱେ ମୁଦ୍ରାସ୍ଫୀତି ହାର କାହିଁକି ବଢୁଛି ସେ ନେଇ କମିଟି ଏକ ରିପୋର୍ଟ ପ୍ରସ୍ତୁତ କରିପାରେ।
ସୂଚନାଯୋଗ୍ୟ, ପୂର୍ବ ବୈଠକରେ ଏମ୍ପିସି ରେପୋରେଟ୍ରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲା । ଫଳରେ ଏହା ୫.୯%ରେ ପହଞ୍ଚିଛି । ମେ’ରୁ ରେପୋରେଟ୍ରେ ୧୯୦ ବେସିସ୍ ପଏଣ୍ଟ ବୃଦ୍ଧି ଘଟିଲାଣି । ଏକ ବିବୃତ୍ତିରେ ଆରବିଆଇ କହିଛି: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଅଧିନିୟମ ୧୯୩୪ ର ଧାରା ୪୫ZN ଅନୁଯାୟୀ ଆରବିଆଇ ମୁଦ୍ରା ନୀତି କମିଟି (ଏମପିସି) ର ଏକ ଅତିରିକ୍ତ ବୈଠକ ସ୍ଥିର ହୋଇଛି। ଶେଷ ବୈଠକ ୨୮ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯାହା ପରେ ରେପୋ ହାର ୫.୯ ପ୍ରତିଶତକୁ ସଂଶୋଧିତ ହୋଇଥିଲା।
ସୂଚନାଯୋଗ୍ୟ, ଯେଉଁ ହାରରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଆର୍ବିଆଇଠାରୁ ଋଣ ନେଇଥାନ୍ତି ତାହାକୁ ରେପୋରେଟ କୁହାଯାଇଥାଏ ।ସମ୍ପ୍ରତି ମୁଦ୍ରାସ୍ଫୀତି ଆର୍ବିଆଇର ଧାର୍ଯ୍ୟ ସୀମା ୬%କୁ ପାର୍ କରିଥିବାବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଆର୍ବିଆଇ ଏହାର ପ୍ରମୁଖ ସୁଧ ହାରରେ ବୃଦ୍ଧି କରୁଛି ।
ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରକାଶ କରିଛନ୍ତି ଯେ, ଆଗକୁ ବିକଶିତ ରାଷ୍ଟ୍ରଗୁଡ଼ିକର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ କଡ଼ା ମୁଦ୍ରାନୀତି ଘୋଷଣା କରିବେ ଏବଂ ସୁଧ ହାରକୁ ବଢ଼ାଇ ଚାଲିବେ । ଏହା ଉପରେ ସମଗ୍ର ବିଶ୍ୱର ନଜର ରହିଛି । ଭୁ-ରାଜନୈତିକ ସମସ୍ୟାଗୁଡ଼ିକ ମଧ୍ୟରେ ଆଗକୁ ଅନେକ ଅନିଶ୍ଚିତତା ଦେଖିବାକୁ ମିଳିବ । ପୁଣି ଥରେ ଯୋଗାଣ ଶୃଙ୍ଖଳ ସମସ୍ୟା ଦେଖିବାକୁ ମିଳିପାରେ । ଆର୍ଥିକ ବଜାରରେ ଅସ୍ଥିରତା ଦେଖିବାକୁ ମିଳିପାରେ ବୋଲି ଦାସ ପ୍ରକାଶ କରିଛନ୍ତି । ଏସବୁ ସତ୍ତେ୍ୱ ଭାରତୀୟ ଅର୍ଥନୀତିକୁ ନେଇ ଆଶାବାଦୀ ଥିବା ସେ କହିଛନ୍ତି ।
Comments are closed.