ଭୁବନେଶ୍ୱର : ତାତିରେ ଲାଗିବ ବ୍ରେକ । ଆଜିଠାରୁ ୩ ଦିନ ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ରାଜ୍ୟର ବିଭିନ୍ନ ସ୍ଥାନରେ ୨୩ ତାରିଖ ଯାଏ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷାର ଆଶଙ୍କା ରହିଛି। ଏହି ସମୟରେ ପ୍ରବଳ ବେଗରେ ପବନ ବହିବ । ଏପରିକି ଆଜି ବିଜୁଳି, ଘଡ଼ଘଡ଼ି ଓ କୁଆପଥର ମାଡ଼ ପାଇଁ ୬ ଜିଲ୍ଲା ଭଦ୍ରକ, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ତେବେ ଏସବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ପାଇଁ ୬ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ପକ୍ଷରୁ ଆଲର୍ଟ କରାଯାଇଛି। ଏହା ସହ ଆଜି ପାଇଁ ୫ ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୨୧ ତାରିଖ ପୂର୍ବାହ୍ନରୁ ୨୨ ତାରିଖ ସକାଳ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ । ଏହି ସମୟରେ ସାରା ରାଜ୍ୟରେ ବର୍ଷାର ପ୍ରଭାବ ରହିବ । ଏହି ସମୟରେ କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପାଗ କୋହଲା ରହିବା ସହ ହାଲୁକା ବର୍ଷା ହେବ । ଆକଳନ ଅନୁଯାୟୀ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ୟ୍ୟନ୍ତ ହ୍ରାସ ପାଇବ।