ମୁମ୍ବାଇ: ଜୁନ ୧୦: ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ଙ୍କୁ ମିଳିଥିବା ଧମକପୂର୍ଣ୍ଣ ଚିଠି ପଛରେ କାହାର ହାତ ଅଛି ସେସମ୍ପର୍କରେ ପୋଲିସ୍ ହାତରେ ସୁରାଗ ଲାଗିଛି । ସଲମାନଙ୍କ ବାପା ସଲିମ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ୍ ଚିହ୍ନଟ କରିଛି । ଏହି ମାମଲାରେ ଅଭିଯୁକ୍ତ ସିଦ୍ଧେଶ ହିରାମାନ୍ କମ୍ବେଲ ଓରଫ ମହାକାଳଙ୍କୁ ଜେରା ବେଳେ ସବୁକିଛି ଖୁଲାସା ହୋଇଛି । ସେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ବୋଲି ଜଣାପଡ଼ିଛି । ମୁମ୍ବାଇ ପୋଲିସର ସୂଚନା ଅନୁସାରେ, ମହାକାଳ ଖୁଲାସା କରିଛି ଯେ, ଲରେନ୍ସର ସହଯୋଗୀ ବିକ୍ରମ ବରାଦ୍ ସଲିମଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିଲେ । ଜେଲରେ ଥାଇ ଲରେନ୍ସ ସଲମାନ୍ ଓ ତାଙ୍କ ବାପା ସଲିମଙ୍କୁ ଏହି ଧମକପୂର୍ଣ୍ଣ ଚିଠି ଲେଖିଥିଲା । ଲରେନ୍ସ ଗ୍ୟାଙ୍ଗର ୩ ଜଣ ସଦସ୍ୟ ଜାଲୋର, ରାଜସ୍ଥାନରୁ ମୁମ୍ବାଇକୁ ଆସିଥିଲେ । ଏହାପରେ ସେମାନେ ମହାକାଳକୁ ଭେଟିଥିଲେ । ଯେଉଁମାନେ ସଲିମଙ୍କୁ ଏହି ଧମକପୂର୍ଣ୍ଣ ଚିଠି ଦେଇଥିଲେ, ସେମାନଙ୍କୁ କ୍ରାଇମବ୍ରାଞ୍ଚ ଚିହ୍ନଟ କରିଥିବା ପୋଲିସ୍ ସୂଚନା ଦେଇଛି । ଏମାନଙ୍କ ବିରୋଧରେ ପ୍ରମାଣ ମିଳିଛି ଓ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ । ସଲମାନଙ୍କୁ ଧମକପୂର୍ଣ୍ଣ ଚିଠି ମିଳିବା ଘଟଣାରେ ପଚରାଉଚରା ବେଳେ ଲରେନ୍ସ କହିଥିଲା ଯେ, ଏଥିରେ ତାର କୌଣସି ହାତ ନାହିଁ । କିଏ ଏହି ଧମକ ଦେଇଛି ସେ ସମ୍ପର୍କରେ ତାଙ୍କୁ ଜଣାନାହିଁ । ସଲମାନଙ୍କ ବିରୋଧରେ ସେ ଯାହା କିଛିବି ବୟାନ ଦେଇଥିଲେ ସେସବୁ ପୂର୍ବରୁ ଦେଇଥିଲେ । ସୂଚନାଥାଉ କି, କିଛିଦିନ ପୂର୍ବେ ସଲିମ ଖାନଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ଏକ ଚିଠି ଦେଇଥିଲେ । ଯେଉଁଥିରେ ସଲମାନଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଥିଲା । ଏହାପରେ ସଲିମ ନିଜ ସୁରକ୍ଷାକର୍ମୀଙ୍କ ସହାୟତାରେ ପୋଲିସ୍ ସହ ଯୋଗାଯୋଗ କରି ଏନେଇ ବାନ୍ଦ୍ରା ଥାନାରେ ଅଭିଯୋଗ କରିଥିଲେ ।
Comments are closed.