ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି I ବିଦ୍ୟା ବୁଦ୍ଧି ର ଦେବତା ଆଦିଦେବ ପ୍ରଭୁ ଶ୍ରୀଗଣେଶଙ୍କର ପୂଜା । ଅଗ୍ରପୂଜ୍ୟ ଗଜାନନ ଧରା ପୃଷ୍ଠା କୁ ଅବତରଣ କରିଛନ୍ତି I ଶ୍ରୀ ଗଜାନନଂକ ଆରାଧନାରେ ଉତ୍ସବ ମୁଖର ହୋଇ ଉଠିଛି ଗାଁ ଠାରୁ ସହର । ଘରେ ଘରେ ପୂଜା ପାଉଛନ୍ତି ଶ୍ରୀ ଗଜାନନ I ଶ୍ରୀ ବିଘ୍ନରାଜଙ୍କ ଆବାହନ ପାଇଁ ମନ୍ତ୍ରପାଠ ,ଘଣ୍ଟ ଘଣ୍ଟI, ବାଜା ବାଜଣା, ଶଙ୍ଖ, ହୁଳହୁଳି ସହିତ ହୋମ, ଧୂପ ,ଝୁଣା ବାସ୍ନାରେ ମହକି ଉଠୁଛି ପରିବେଶ I ସୃଷ୍ଟି ହୋଇଛି ଏକ ଭକ୍ତି ମୟ ବାତାବରଣ I ପୂଜା ପାଇଁ ବିଦ୍ୟାଳୟ ଗୁଡ଼ିକରେ ରଙ୍ଗୀନ ସାଜସଜ୍ଜା ହୋଇଛି । ପୂଜା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରହିଛି ଅପୂର୍ବ ଉତ୍ସାହ I
କରୋନା ଯୋଗୁଁ ୨ ବର୍ଷପରେ ଶିକ୍ଷାନୁଷ୍ଠାନ, କ୍ଲବ, ଅଫିସ, ଅନ୍ୟାନ୍ୟ ପ୍ରତିଷ୍ଠାନ ଏବଂ ପୂଜା ମଣ୍ଡପରେ ମହାସମାରୋହରେ ଆୟୋଜନ ହେଉଛି ଗଣେଶ ପୂଜା I ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ରହିଛି ପୂଜା ସ୍ଥଳ ଗୁଡିକ । ନୂଆ ଡ୍ରେସ ପିନ୍ଧି ,ଜାକଜମକରେ ପୂଜା ସାରି ମନ ଖୁସିରେ ଭୋଗ ଖାଇ ଗଣେଶ ପୂଜା ଉତ୍ସବ କୁ ଉପଭୋଗ କରୁଛନ୍ତି ସମସ୍ତେ I କରୋନା କଟକଣାର କଳା ବାଦଲ ହଟିଯିବା ପରେ, ପ୍ରମୁଖ ସହର ମାନଙ୍କରେ ଆକର୍ଷଣୀୟ ପୂଜା ମଣ୍ଡପ ଓ ତୋରଣ ଲାଗି ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଲାଗିଛି ।
ଗଣେଶପୂଜା ଠାରୁ ହିଁ ଆରମ୍ଭ ହୋଇଥାଏ ପାର୍ବଣ ଋତୁ I ଗଣେଶ ପୂଜା ଦିନକୁ ଶାସ୍ତ୍ରରେ ସବୁଠାରୁ ପବିତ୍ର ଦିନ ବୋଲି ବିଚାର କରାଯାଇଥାଏ I ଏହିଦିନ ନୂତନ ଗୃହ ପ୍ରତିଷ୍ଠା ,ବାଣିଜ୍ୟ ବ୍ୟବସାୟ ତଥା ନୂଆ ଖାତା ମଧ୍ୟ ପୂଜା ହୋଇଥାଏ I ସେହିପରି ଆଜିର ଦିନରେ ଗଣେଶଙ୍କ ନିକଟରେ ପୂଜାର୍ଚ୍ଚନା କରି ଛୋଟ ଛୋଟ ପିଲାଙ୍କୁ ଖଡି ଛୁଇଁଥାନ୍ତି ଅବିଭାବକ ମାନେ I
Comments are closed.