ଅକ୍ଟୋବର ୨ ତାରିଖ ଦେଶବାସୀଙ୍କ ପାଇଁ ଅବିସ୍ମରଣୀୟ ଦିନ । ଆଜିର ଦିନରେ ସ୍ୱାଧୀନତା ସଂଗ୍ରାମର ୨ ମହାନାୟକ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଶାନ୍ତିଦୂତ ଲାଲବାହାଦୂର ଶାସ୍ତ୍ରିଜୀଙ୍କ ଜନ୍ମ ଜୟନ୍ତୀ । ଇଂରେଜ କବଳରୁ ଦେଶକୁ ମୁକୁଳେଇବା ପାଇଁ ହୋଇଥିବା ସତ୍ୟାଗ୍ରହ ସଂଗ୍ରାମର ସେନାପତି, ସତ୍ୟ ଅହିଂସାର ପଥ ପ୍ରଦର୍ଶକ ମହାତ୍ମା ଗାନ୍ଧୀଙ୍କର ଆଜି ୧୫୫ ତମ ଜନ୍ମ ଜୟନ୍ତୀ । ଅହିଂସା ଉପାୟରେ ଦେଶରୁ ଇଂରେଜ ସରକାରଙ୍କୁ ତଡ଼ି ସ୍ବାଧୀନତା ଆଣିଥିବା ମହାନ ପୁରୁଷ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଦେଶବାସୀ ଶ୍ରଦ୍ଧାରେ ବାପୁ ବୋଲି ସମ୍ବୋଧନ କରନ୍ତି ।
୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋର ବନ୍ଦରଠାରେ ପିତା କରମଚାନ୍ଦ ଗାନ୍ଧୀ ଓ ମାତା ପୁତୁଲିବାଈଙ୍କ କୋଳ ମଣ୍ଡନ କରିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ । ମହାତ୍ମା ଗାନ୍ଧୀଙ୍କ ପୂରା ନାମ ମୋହନ ଦାସ କରମଚାନ୍ଧ ଗାନ୍ଧୀ ।
ଗାନ୍ଧିଜୀ ସବୁ ସମୟରେ ଅନ୍ୟାୟ ବିରୋଧରେ ସଂଘର୍ଷ କରିଥିଲେ । ସେ ଧାରଣା ଏବଂ ସତ୍ୟର ମାର୍ଗରେ ସର୍ବଦା ଯିବାକୁ କୁଣ୍ଠାବୋଧ କରିନଥିଲେ । ସତ୍ୟ ଓ ଅହିଂସାକୁ ନେଇ ସର୍ବଦା ବାପୁଙ୍କ ବିଚାର ସାରା ବିଶ୍ୱରେ ମାର୍ଗଦର୍ଶନ କରିବା ସହ ପ୍ରେରଣା ଦେଇଥାଏ । ତାଙ୍କର ସେହି ବିଚାରକୁ ନେଇ ଅକ୍ଟୋବର ୨ ତାରିଖ ଦିନଟିକୁ ସାରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବରେ ପାଳନ କରାଯାଏ । ଏହିଦିନ ଭାରତର ସ୍ଵାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଭଳି ଜାତୀୟ ଦିବସ ଭାବରେ ପାଳନ କରାଯାଏ ।
ମହାତ୍ମା ଗାନ୍ଧୀଙ୍କୁ ଆଦରରେ ଜାତିର ପିତା ଓ ବାପୁଜୀ ବୋଲି କୁହାଯାଏ । ଗାନ୍ଧୀଙ୍କୁ ମହାତ୍ମାର ଆଖ୍ୟା ଦେଇଥିଲେ ଗୁରୁ ରବୀନ୍ଦ୍ରନାଥ ଟାଗୋର । ରାଜକୁମାରୀ ଶୁକ୍ଲା ମହାତ୍ମା ଗାନ୍ଧୀଙ୍କୁ ସର୍ବପ୍ରଥମେ ‘ବାପୁ’ ବୋଲି ଡାକିଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ପ୍ରଥମେ ଗାନ୍ଧୀଜୀଙ୍କୁ ଜାତିର ପିତାର ଆଖ୍ୟା ଦେଇଥିଲେ । ବ୍ରିଟିଶ ଶାସନ ବିରୋଧରେ ମହାତ୍ମା ଗାନ୍ଧୀ ଥିଲେ ମୁଖ୍ୟ । ଅହିଂସା ଓ ସତ୍ୟାଗ୍ରହକୁ ସର୍ବାଦା ଗୁରୁତ୍ବ ଦେଉଥିଲା ବାପୁ । ଦେଶକୁ ସ୍ବାଧୀନ କରିବାକୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଭାରତଛାଡ଼ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନ କରାଯାଇଥିଲା ।
ବାପୁଙ୍କୁ ମନେ ପକାଇ ଆଜି ସାରା ଦେଶରେ ଆୟୋଜନ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ। ଦିଲ୍ଲୀ ରାଜଘାଟ ସ୍ଥିତ ବାପୁ ସ୍ମୃତି ପୀଠରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇବେ।
ସେହିପରି ଆଜି ସ୍ବାଧୀନ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମଦିନ । ଉତ୍ତରପ୍ରଦେଶର ମୁଗଲସରାଇଠାରେ ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ଜନ୍ମଲାଭ କରିଥିଲେ ଶାସ୍ତ୍ରୀଜୀ । ଆଜି ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କର ୧୨୦ତମ ଜନ୍ମ ଜୟନ୍ତୀ । ଶାସ୍ତ୍ରୀଜୀ ପିଲାଟି ବେଳୁ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ । ଶାସ୍ତ୍ରୀଜୀଙ୍କ ବାଲ୍ୟକାଳ ସଂଘର୍ଷରେ ବିତିଥିଲା । ମହାତ୍ମା ଗାନ୍ଧୀଙ୍କ ଡାକରାରେ ମାତ୍ର ୧୬ ବର୍ଷ ବୟସରେ ଗାନ୍ଧୀଜୀଙ୍କ ଅସହଯୋଗ ଆନ୍ଦୋଳନରେ ସେ ଯୋଗ ଦେଇଥିଲେ । ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ ଶାସ୍ତ୍ରୀଜୀ। ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ‘ଜୟ ଜବାନ ଏବଂ ଜୟ କିଶାନ’ ସ୍ଲୋଗାନ ପାଇଁ ଶାସ୍ତ୍ରୀଜୀ ଦେଶବାସୀଙ୍କ ନିକଟରେ ଅମର ହୋଇ ରହିଛନ୍ତି। ଶାସ୍ତ୍ରୀଜୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାକିସ୍ତାନ ସହ ଯୁଦ୍ଧଲଢ଼ି ନିଜର ପରାକ୍ରମ ଦେଖାଇପାରିଥିଲା ଭାରତ ।
ଆଜି ଏହି ଦୁଇ ମହାପୁରୁଷଙ୍କୁ ମନେ ପକାଉଛି ଦେଶ । ଦେଶପାଇଁ ସେମାନଙ୍କ ଅବଦାନକୁ ମନେ ପକାଉଛନ୍ତି ଦେଶବାସୀ । ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତ୍ରୀ ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)