ଆଜି ପ୍ରସିଦ୍ଧ ଶୁଲିଆ ପର୍ବ

ବଲାଙ୍ଗୀର : ଆରମ୍ଭ ହେଲା ବଲାଙ୍ଗୀର ଜିଲ୍ଲା ପାରମ୍ପରିକ ଶୁଲିଆ ଯାତ୍ରା । ଏନେଇ ଉତ୍ସବମୁଖର ବଲାଙ୍ଗୀର ଜିଲ୍ଲାର ଶୁଲିଆ ପୀଠ, ଖଇରଗୁଡ଼ା ଓ କୁମୁରିଆ ଶୁଲିଆ ପୀଠ। ଆଦିବାସୀମାନେ ଆଜି ପାରମ୍ପରିକ ବଳି ଦେଇ ବିଧି ପାଳନ କରିବେ । ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ । ଆଜି ସକାଳୁ ମୁଖ୍ୟ ପୂଜକ ଓ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ପହଞ୍ଚିବେ । ଶୁଲିଆ ଗୁଡିରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୂଜକ ଓ ଦେହୁରୀମାନେ ଶୋଭାଯାତ୍ରାରେ ବାହାରି ଶୁଲିଆ ପୀଠକୁ ଆଗମନ କରୁଛନ୍ତି । ଏଠାରେ ପୂଜାର୍ଚ୍ଚନା ପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆ ବୁଢାକୁ ଭୋଗ ଅର୍ପଣ କରାଯିବ । ପରେ ମାନସିକଧାରୀମାନେ ଆଣିଥିବା ମେଣ୍ଢା, କୁକୁଡ଼ା, ବତକକୁ ଶହ ଶହ ସଂଖ୍ୟାରେ ବଳି ଦିଆଯିବ । ସେପଟେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୁଲିଆ ପୀଠରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ସେଠାରେ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନାନୁସାରେ,ପୌଷ ଅମାବାସ୍ୟା ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଏହି ଶୁଳିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଦିବାସୀଙ୍କ ପରମ୍ପରା ଅନୁସାରେ ଏହି ଯାତ୍ରାରେ ଫୁଲ, ଦୁବ, ନଡିଆ ଭୋଗ ସହ ପୋଢ଼, ମେଣ୍ଢା, ବୋଦା, ପାରା ଓ କୁକୁଡ଼ା ବଳି ଦେଇ ମାନସିକଧାରୀ ପୂଜାର୍ଚ୍ଚନା କରିଥାନ୍ତି। ଚଳିତ ବର୍ଷ ତିନି ଦିନ ଉତ୍ସବ ହୋଇଥିବା ବେଳେ ଗୋଟିଏ ଦିନ ଯାତ୍ରା ଅନୁଷ୍ଠିତ ହେଉଛି। ଶୁଲିଆ ଯାତ୍ରା ଆଦିବାସୀ ମାନଙ୍କର ଏକ ପ୍ରମୁଖ ପର୍ବ ହୋଇଥିବାରୁ ଏହିଦିନ କନ୍ଧ ଅଦିବାସୀମାନେ ଘର ଦ୍ୱାର ଲିପା ପୋଛା ସହ ନୂଆ ପୋଷାକ ପରିଧାନ କରିଥାନ୍ତି। ଯାତ୍ରାର ପୂର୍ବଦିନ ଅର୍ଥାତ ସୋମବାର ଦିନ ୧୨ଟାରେ ଦେବ ନିମନ୍ତ୍ରଣ ହୋଇଥାଏ। ସନ୍ଧ୍ୟାରେ ନିଷିପୂଜାରେ ଗମ୍ଭିରାଘରେ ଥିବା ଟାଙ୍ଗିଆ, ଖଣ୍ଡା ଆଦି ପୂଜା କରି ଭୋରରୁ ‘ଦେହୁରୀ’ ପୀଠରେ ପହଞ୍ଚିଲା ପରେ ଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରଥମେ ଏକ କାଉଁଶ ନଳରେ ଚାଉଳ, ଗୁଡ଼, ଘିଅ ଆଦି ଦେଇ ଭୋଗ ରନ୍ଧା ଯାଏ । ଠିକ୍ ଭାବେ ଭୋଗ ପ୍ରସ୍ତୁତ ହେଲେ ଏ ବର୍ଷ ଭଲ ବର୍ଷା ହେବ ବୋଲି ଆଦିବାସୀଙ୍କ ବିଶ୍ବାସ ରହିଛି।

Har Ghar Tiranga