ବଙ୍ଗୋପ ସାଗରରେ ଘନ ଘନ ଲଘୁଚାପ ଯୋଗୁଁ ରାଜ୍ୟରେ ଜଟିଳ ହେଉଛି ବନ୍ୟା ପରିସ୍ଥିତି I ସମ୍ଭାବ୍ୟ ବନ୍ୟା ପରିସ୍ଥିତି କୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରରୁ ୪୦ଟି ସୁଇସ୍ ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ କରାଯାଇଛି । ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ହ୍ରାସ ପାଉଛି I ଜଳସ୍ତର ବି ଧୀରେ ଧୀରେ ଖସିବାରେ ଲାଗିଛି ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ଲକ୍ଷ ୬୬ହଜାର ୫୭୪ କ୍ୟୁସେକ ଜଳ ପ୍ରବେଶ ହେଉଥିବାବେଳେ, ଖଇରାମାଳରେ ୮ଲକ୍ଷ ୭୦ହଜାର କ୍ୟୁସେକ ଜଳ ପାସ୍ କରୁଛି । କଟକ ମୁଣ୍ଡୁଳୀରେ ଏବେ ୧୦ ଲକ୍ଷ ୧୮ହଜାର ୩୭୨ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉ ଥିବାବେଳେ ବରମୂଳରେ ୮ ଲକ୍ଷ ୮୮ କ୍ୟୁସେକ ଜଳ ପ୍ରବାହିତ ହେଉଛି । ବର୍ତ୍ତମାନ ଯେତିକି ଜଳ ପ୍ରବାହିତ ହେଉଛି ତାହା କିଛି ସମୟ ମଧ୍ୟରେ କମିଯିବ । ତେବେ ଜଳସ୍ତର ଆହୁରି କମିବା ନେଇ ଆକଳନ କରାଯାଉଥିବା ବେଳେ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ବନ୍ୟା ସ୍ଥିତି ଆହୁରି ୪ରୁ ୫ଦିନ ଲାଗି ରହିବ I ଅନ୍ୟପଟେ ୪ଟି ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକ ର ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ଚିନ୍ତାଜନକ ରହିଛି । ତେଣୁ ସମସ୍ତେ ସତର୍କ ରହିବା ଉଚିତ୍ ଓ ଆସନ୍ତାକାଲି ସୁଦ୍ଧା ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ଏହାସହିତ ହୀରାକୁଦର ୪୦ଟି ଗେଟ୍ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ବିଶେଷଜ୍ଞଙ୍କ ପରାମର୍ଶରେ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ରାଜ୍ୟର ମୋଟ ୪୨୫ଟି ଗାଁର ଅଢ଼େଇ ଲକ୍ଷ ଲୋକ ଏବେ ଜଳବନ୍ଦୀ ଥିବାବେଳେ ୪.୬୭ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି ।
Comments are closed.