ଭୁବନେଶ୍ୱର : ଆସନ୍ତା କାଲି ଠାରୁ ପାଗରେ ହେବ ପରିବର୍ତ୍ତନ । ପଶ୍ଚିମ-କେନ୍ଦ୍ରୀୟ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୁର୍ଣ୍ଣିବଳୟ । ଏକା ସାଙ୍ଗରେ ଆସୁଛି ଦୁଇଟି ଲଘୁଚାପ । ମେ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ୨୧ ତାରିଖରେ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହେଇପାରେ । ଏହା ମେ ୨୨ ବେଳକୁ ଲଘୁଚାପର ରୂପ ନେବ । ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରି ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେଣୁ ଓଡ଼ିଶାରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୋମବାର ଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି ।
ସେପଟେ ମେ ୨୭ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଇପାରେ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେଇ ଲଘୁଚାପର ରୂପ ନେବ। ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ରାଜ୍ୟରେ ଗରମ ଗୁଳୁଗୁଳି ଜାରି ରହିଛି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ଗରମ ଗୁଳୁଗୁଳି ପାଇଁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନ୍ୟପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଲାଗି ରହିବ ।