ଭୁବନେଶ୍ୱର : ଆସନ୍ତା ଏପ୍ରିଲ ୧୧ ତାରିଖରେ କଟକର ବାଲିଯାତ୍ରା ପଡ଼ିଆରେ ‘ଆୟୁଷ୍ମାନ’ ଯୋଜନାର ଶୁଭାରମ୍ଭ ହେବ । ଏହି ଯୋଜନାର ଶୁଭାରମ୍ଭ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା କରିବେ । ଏହି ଯୋଜନା ପାଇଁ ଯୋଗ୍ୟ ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୂକ୍ତ କରାଯିବ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।
ଏହି ଯୋଜନା ଅଧୀନରେ ଆୟୁଷ୍ମାନ କାର୍ଡଧାରୀମାନେ ତାଲିକା ଭୁକ୍ତ ଡାକ୍ତରଖାନା ଗୁଡ଼ିକରେ ମାଗଣା ଚିକିତ୍ସା ପାଇପାରିବେ । ଏହି କାର୍ଡ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରିବାର ସୁଯୋଗ ପାଇପାରିବେ । ଏହି ଯୋଜନାରେ ରାଜ୍ୟର ପ୍ରାୟ ୧ କୋଟି ୩ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ ।
ଆର୍ଥିକ ଦୃଷ୍ଟିରୁ ଚିକିତ୍ସା ପାଇଁ ଲୋକମାନେ ଯେମିତି ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସରକାର ଏ ପ୍ରକାରର ପ୍ରୟାସ ଆପଣାଇଛନ୍ତି । ଏହା ମାଧ୍ୟମରେ ଜଣେ ଆର୍ଥିକ ଅନଗ୍ରସର ଲୋକେ ମାଗଣା ସ୍ବାସ୍ଥ୍ୟ ସେବାର ଲାଭ ପାଇପାରିବେ । ଯାହା ଏବେ ଓଡ଼ିଶାରେ ଉପଲବ୍ଧ ହେବ । ଆୟୁଷ୍ମାନ ଯୋଜନା ମାଧ୍ୟମରେ କାର୍ଡଧାରୀମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ବୀମାର ଲାଭ ପାଇବେ । ଯାହା ଓଡ଼ିଶାବାସୀଙ୍କ ପାଇଁ ଏକ ଖୁସିର ଖବର ।
ସୂଚନାନୁସାରେ, ଆସନ୍ତା ୧୦ ତାରିଖରୁ ୧୨ ତାରିଖ ଯାଏଁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବା ସହ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଏମ୍ସରେ ଏକ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ ନଡ୍ଡା । ଏହା ପରେ ବିଧାୟକ ଏବଂ ସାଂସଦ ମାନଙ୍କ ତାଲିମ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ । ଗସ୍ତ ଅବସରରେ ଦଳର କିଛି ନେତାଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।