ଲକ୍ଷ୍ନୌ: ମାର୍ଚ୍ଚ ୦୮: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନର ସମସ୍ତ ସାତ ପର୍ଯ୍ୟାୟର ଭୋଟିଂ ସମାପ୍ତ ହୋଇଛି। ଏବେ ମାର୍ଚ୍ଚ ୧୦ରେ ଭୋଟ୍ ଗଣତି ହେବ। ଏହା ପୂର୍ବରୁ ସୋମବାର ଆସିଥିବା ଏକଜିଟ୍ ପୋଲ୍ରେ ୟୁପିରେ ପୁଣି ଥରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ଵରେ ବିଜେପି ସରକାର ଗଠନ କରିବାକୁ ଯାଉଥିବା ଅନୁମାନ କରାଯାଇଛି। ୨୦୧୭ ନିର୍ବାଚନ ତୂଳନାରେ ଏଥର ପ୍ରଦର୍ଶନରେ ସୁଧାର ଆସିଥିଲେ ମଧ୍ୟ ସପା ଦ୍ଵିତୀୟ ସ୍ଥାନରେ ରହିଛି। ଏହା ମଧ୍ୟରେ ସମାଜବାଦୀ ପାର୍ଟି ନେତା ରାମ ଗୋପାଲ ଯାଦବ ଏକଜିଟ୍ ପୋଲ୍କୁ ଖାରଜ କରିଛନ୍ତି। ତାଙ୍କ ପାର୍ଟି ୩୦୦ରୁ ଅଧିକ ଆସନ ଜିତିବ ବୋଲି ସେ ଦାବି କରିଛନ୍ତି।ରାମ ଗୋପାଲ ଯାଦବ ଅଖିଳେଶ ଯାଦବ ଏବଂ ସମାଜବାଦୀ ପାର୍ଟିକୁ ଟ୍ୟାଗ୍ କରି ଟୁଇଟ୍ କରିଛନ୍ତି, ଏକଜିଟ୍ ମନିଟର୍ଡ କରାଯାଇଛି। ସପା ମେଣ୍ଟ ୩୦୦ରୁ ଅଧିକ ଆସନ ଜିତିବ। ପ୍ରାର୍ଥୀ ଏବଂ କାର୍ଯ୍ୟକର୍ତ୍ତା ସାବଧାନପୂର୍ବକ ମତଗଣନା କରାନ୍ତୁ ଏବଂ ମାର୍ଚ୍ଚ ୧୦ରେ ବିଜୟ ପତାକା ଉଡାଇବା ପାଇଁ ପ୍ରସ୍ତୁତ ରୁହନ୍ତୁ।ସୂଚନାଯୋଗ୍ୟ, ଅନେକ ଏକଜିଟ୍ ପୋଲରେ ବିଜେପି ସରକାର ଗଢୁଥିବା ପୂର୍ବାନୁମାନ କରାଯାଇଛି। ସିଏନଏନ ନ୍ୟୁଜ୍ ୧୮ର ଏକଜିଟ୍ ପୋଲ୍ ଅନୁଯାୟୀ ୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ବିଜେପିକୁ ୨୪୦ ଆସନ ମିଳୁଥିବା ଅନୁମାନ କରାଯାଇଛି। ସେହି ପରି ସପାକୁ ୧୪୦, ବିଏସପିକୁ ୧୭ ଆସନ ଯିବାର ପୂର୍ବାନୁମାନ କରାଯାଇଛି। ଅନ୍ୟାନ୍ୟ ଖାତାକୁ ୬ ଆସନ ଯିବାର ସମ୍ଭାବନା ରହିଛି। ନିର୍ବାଚନ ପୂର୍ବରୁ ଆସିଥିବା ଅନେକ ସର୍ଭେ ରିପୋର୍ଟରେ ବିଜେପି ଏବଂ ଏସପି ମଧ୍ୟରେ କଡା ଟକ୍କର ହେଉଥିଲେ ହେଁ ବିଜେପି ପୁଣି ଥରେ ସରକାର ଗଠନ କରିବ ବୋଲି ଅନୁମାନ କରାଯାଇଥିଲା।
Comments are closed.