ଉତ୍ତରାଖଣ୍ଡ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା: ବିଜେପି ଛାଡ଼ିଲେ ଦୁଇ ମନ୍ତ୍ରୀ

ଡେରାଡ଼ୁନ: ଅକ୍‌ଟୋବର ୧୧: ଉତ୍ତରାଖଣ୍ଡ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା । ବିଜେପିରେ ଥିବା ଟାଣୁଆ ନେତା ଓ ତାଙ୍କ ପୁଅ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି । ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ୟଶପାଲ ଆର୍ଯ୍ୟ ଏବଂ ବିଧାୟକ ସଞ୍ଜୀବ ଆର୍ଯ୍ୟ ଭାରତୀୟ ଜନତା ପାର୍ଟି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସ କମିଟିର ମୁଖ୍ୟ ସଚିବ କେସି ବେଣୁଗୋପାଲ ଦୁଇ ମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ରାତାରାତି ବଦଳି ଯାଇଛି ଉତ୍ତରାଖଣ୍ଡ ରାଜନୈତିକ ସମୀକରଣ ।
ସୂଚନା ଅନୁସାରେ, ୟଶପାଲ ଆର୍ଯ୍ୟ ଏବେ ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ଅଛନ୍ତି । ତାଙ୍କ ଅଧୀନରେ ୬ଟି ବିଭାଗ ରହିଛି । ସେ ପରିବହନ, ସାମାଜିକ କଲ୍ୟାଣ, ସଂଖ୍ୟାଲଘୁ କଲ୍ୟାଣ, ଛାତ୍ର କଲ୍ୟାଣ, ନିର୍ବାଚନ ଏବଂ ଏକ୍ସାଇଜ୍‌ ବିଭାଗର ଦାୟିତ୍ୱରେ ରହିଛନ୍ତି । ଏହାସହ ସେ ବାଜପୁର ବିଧାୟକ କାର୍ଯ୍ୟ ମଧ୍ୟ ସମ୍ଭାଳୁଛନ୍ତି । ସେହିପରି ତାଙ୍କ ପୁଅ ସଞ୍ଜୀବ ଆର୍ଯ୍ୟ ନୈନିତାଲ ବିଧାୟକ ଅଛନ୍ତି । ସୂଚନା ଯୋଗ୍ୟଯେ, ୟଶପାଲ ଆର୍ଯ୍ୟ ଏବଂ ସଞ୍ଜୀବ ଆର୍ଯ୍ୟ ପୂର୍ବରୁ କଂଗ୍ରେସରେ ହିଁ ଥିଲେ । ୨୦୧୭ରେ ବିଧାନସଭା ନିର୍ବାଚନ ପୂର୍ବରୁ ସଞ୍ଜୀବ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ତେବେ କଂଗ୍ରେସ ଦଳକୁ ଫେରିବା ପୂର୍ବରୁ ଉଭୟ ବାପା ପୁଅ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । ସେଠାରେ ରାହୁଲଙ୍କ ସହିତ ଦୁଇ ମନ୍ତ୍ରୀଙ୍କ ଏକ ଆଲୋଚନା ବୈଠକ ହୋଇଥିଲା । ଏବେ ଦୁଇ ମନ୍ତ୍ରୀଙ୍କ ଘରବାହୁଡ଼ା ପରେ ଆଗାମୀ ସମୟରେ ଏହା ବିଜେପି ପାଇଁ ଏକ ସଙ୍କଟ ସୃଷ୍ଟି କରିପାରେ ବୋଲି ଉତ୍ତରାଖଣ୍ଡ ରାଜନୀତିରେ ଆକଳନ କରାଯାଉଛି ।

Comments are closed.