୨୬ରୁ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଭୋଟ ଗଣତି

ବୌଦ୍ଧ: ଫେବୃଆରୀ ୨୪: ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଗତ ଫେବୃୟାରୀ ୧୬ ତାରିଖରୁ ୨୦ତାରିଖ ଯାଏଁ ତିନୋଟି ପର୍ଯ୍ୟାୟରେ ସମୁଦାୟ ୯ଟି ଜିଲ୍ଲା ପରିଷଦ ଜୋନର ନିର୍ବାଚନ ସହ ପଞ୍ଚାୟତ ମତଦାନ ମଧ୍ୟ ସୁରୁଖୁରୁରେ ଶେଷ ହୋଇଯାଇଛି । ଜିଲ୍ଲାର ସମୁଦାୟ ୩ଲକ୍ଷ ୧୧ହଜାର ୬୫୩ଜଣ ମତଦାତା ଚଳିତ ନିର୍ବାଚନରେ ମତଦାନ କରିବାର ରହିଥିବାବେଳେ ୮୩.୪୩ ପ୍ରତିଶତ ମତଦାତା ନିଜର ମତଦାନ ୯୫୫ଟି ମତଦାନ କେନ୍ଦ୍ରରେ ନିଜର ମତଦାନ କରିଥିବା ବିଭାଗ ସୁତ୍ରରୁ ଜଣାପଡିଛି । ତେବେ ଏହି ମତଦାନକୁ ନେଇ ଜିଲ୍ଲାରେ ସମିତି ଓ ଜିଲ୍ଲା ପରିଷଦ କିଏ ଓ କିପରି ଗଠନ କରିବେ ସେନେଇ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ଅଙ୍କକସା ଚାଲୁ ରହିଥିବା ଦେଖାଯାଇଛି । ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ଦୁଇ ନିର୍ବାଚନ ମଣ୍ଡଳି ବର୍ତମାନ ବିଜେଡି ହାତରେ ରହିଥିବାବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଜିଲ୍ଲା ପରିଷଦ ଓ ତିନି ବ୍ଲକରେ ସମିତି ଗଠନ କରିବା ନେଇ ଯୋରଦାର ଉଦ୍ୟମ ଚାଲୁରଖିଛି । ସେହିପରି ବିଜେପି ମଧ୍ୟ ଏହି ଲକ୍ଷ୍ୟ ଆତେଇବା ପାଇଁ ଆଶାବାନ୍ଧି ନିଜର ରଣକୌଶଳ ଚାଲୁ ରଖିଛି ।

ତଦଅନୁରୁପ କଂଗ୍ରେସ ଦଳ ମଧ୍ୟ ଆଶା ରଖିଥିବା ଦଳ ପକ୍ଷରୁ ପ୍ରକାଶ ପାଇଛି । ଆସ‘ା ଫେବୃୟାରୀ ୨୬ ତାରିଖ ଜିଲ୍ଲାର କଂଟାମାଳ ବ୍ଲକର ୧ନଂ ଜିଲ୍ଲା ପରିଷଦ ଜୋନ ସହ ୮ଟି ପଞ୍ଚାୟତ, ବୌଦ୍ଧ ବ୍ଲକର ୪ନଂ ଜିଲ୍ଲା ପରିଷଦ ଜୋନସହ ୮ଟି ପଞ୍ଚାୟତ ଓ ହରଭଙ୍ଗା ବ୍ଲକର ୭ନଂ ଜିଲ୍ଲାପରିଷଦ ସହ ୭ଟି ପଞ୍ଚାୟତର ଜିଲ୍ଲା ପରିଷଦ,ସରପଞ୍ଚ, ସମିତି ଓ ୱାର୍ଡସଭ୍ୟ ପ୍ରାର୍ଥୀ ପ୍ରାର୍ଥୀନୀଙ୍କ ମତଦାନ ଗଣତି କରାଯିବ । ସେହିପରି ୨୭ ତାରିଖ କଂଟାମାଳ ବ୍ଲକର ୨ନଂ ଜିଲ୍ଲାପରିଷଦ ଜୋନସହ ୮ଟି ପଞ୍ଚାୟତ,ବୌଦ୍ଧ ବ୍ଲକର ୫ନଂ ଜୋନସହ ୮ଟି ପଞ୍ଚାୟତ, ଓ ହରଭଙ୍ଗା ବ୍ଲକର ୮ନଂ ଜୋନସହ ୮ଟି ପଞ୍ଚାୟତର ମତଦାନ ଗଣତି ହେବ । ଓ ୨୮ ତାରିଖ କଂଟାମାଳ ବ୍ଲକର ୩ନଂ ଜୋନସହ ୮ଟି ପଞ୍ଚାୟତ, ବୌଦ୍ଧ ବ୍ଲକର ୬ନଂ ଜୋନସହ ୭ଟି ପଞ୍ଚାୟତ ଓ ହରଭଙ୍ଗା ବ୍ଲକର ୯ନଂ ଜୋନସହ ୭ଟି ପଞ୍ଚାୟତର ସମସ୍ତ ପଦବୀ ଗୁଡିକର ମତଦାନ ଗଣତି କରାଯିବ । ଏହି ତିନିଦିନ ଭୋଟ ଗଣତି ପାଇଁ କଂଟାମାଳ ବ୍ଲକର କଂଟାମାଳ କଲେଜ ଠାରେ, ବୌଦ୍ଧ ବ୍ଲକର ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଓ ହରଭଙ୍ଗା ବ୍ଲକର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସକାଳ ୮ ଘଂଟା ଠାରୁ ଭୋଟ ଗଣତି ଆରମ୍ଭ ହେବବୋଲି ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ତେବେ ଯେଉଁବ୍ଲକର ଯେତେଟି ପଞ୍ଚାୟତର ଗଣତି କରାଯିବ ସେତିକିଟି ଟେବୁଲ କାଉଣ୍ଟିଙ୍ଗ ହଲରେ ବ୍ୟବହାର କରାଯିବ । ଏହି ତିନିଦିନ ଗଣତି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ସମସ୍ତ ରାଜନୈତିକ ଦଳକୁ ମଧ୍ୟ ସୁଚନା କରିଦିଆ ଯାଇଥିବା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ।

Comments are closed.