ବଦଳିଲା ପାଣିପାଗ,ଆସନ୍ତା ୨ ରୁ ୬ ଦିନ ଯାଏଁ କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା

0

ଭୁବନେଶ୍ୱର: ବଦଳିଲା ପାଗ । ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା। ଖାଲି ବର୍ଷା ନୁହେଁ ବରଂ କୁଆପଥର ବର୍ଷା ହୋଇଛି। ଅନୁଗୁଳ, କେନ୍ଦୁଝର,ସୁନ୍ଦରଗଡ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଆହୁରି ୬ ଦିନ ପର୍ଯ୍ୟନ୍ତ ଉତ୍ତର-ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଗତକାଲି ଭୋର ସମୟରେ ରାଜଧାନୀ ଭୁବନେଶ୍ୱର ସମେତ ଅଧିକାଂଶ ଜିଲ୍ଲାରେ ପ୍ରାୟ ଅଧଘଣ୍ଟା ରୁ ଅଧିକ ସମୟ ଧରି ଲାଗି ରହିଥିଲା ବର୍ଷା I ଏହାପରେ ଦିନ ତମାମ ବର୍ଷା ନଥିବାବେଳେ ପୁଣି ଅପରାହ୍ନ ପ୍ରାୟ ୪ଟା ବେଳେ ହଠାତ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଏହାପରେ ଖୁବ ଜୋରରେ ପବନ ସାଙ୍ଗକୁ ଘଡଘଡି, ବିଜୁଳି ସହ ବର୍ଷା ହୋଇଥିଲା। ଦୀର୍ଘ ସମୟ ଧରି କୁଆ ପଥର ବୃଷ୍ଟି ହୋଇଥିଲା। ଫଳରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଖାଲି ହୋଇ ଯାଇଥିଲା ରାସ୍ତାଘାଟ। ସେହିପରି ବିଳମ୍ବିତ ରାତିରେ ରାଜଧାନୀରେ ପ୍ରବଳ ଘଡଘଡି ସହ ବର୍ଷା ଛେଚିଥିଲା ।

ସେପଟେ କେନ୍ଦୁଝର ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ ପ୍ରବଳ କୁଆପଥର ମାଡ ହୋଇଛି। ଗତକାଲି ଝୁମ୍ପୁରା ବ୍ଳକର କଣ୍ଡରାପଶି ଗ୍ରାମରେ ବଜ୍ରାଘାତରେ ୫ଟି ବଳଦଙ୍କ ମୃତ୍ୟୁ ଘଟିଥିବା ବେଳେ, ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଗୁଆଳି। ସେପଟେ ସୁନ୍ଦରଗଡରେ ମଧ୍ୟ କୁଆ ପଥର ବର୍ଷା ହୋଇଛି। ଜଗତଗଡ଼ ଓ ବିହାବନ୍ଦ ଅଞ୍ଚଳରେ ପବନ ସହିତ କୁଆପଥର ବର୍ଷା ଯୋଗୁ ଲୋକେ ହଇରାଣ ହୋଇଛନ୍ତି ।

ଆଗାମୀ ୨-୬ ଦିନ ପର୍ଯ୍ୟନ୍ତ ବିଶେଷକରି ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ଷା ପାଇଁ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିପରି ୮ ଜିଲ୍ଲାରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ପବନ ସହ କୁଆପଥର ବୃଷ୍ଟି ହେବା ସମ୍ଭାବନା ରହିଛି। ସେହିପରି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ପ୍ରତଣ୍ଡ ବଜ୍ରପାତ ନେଇ ୨୫ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ବର୍ଷା ପାଇଁ ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡା ଏବଂ ଦେବଗଡ଼କୁ ୟେଲୋ ଆଲର୍ଟ ଜାରି ହୋଇଛି ।

Leave A Reply

Your email address will not be published.