ଶ୍ରୀକୃଷ୍ଣ ନିଜର ୮ ପତ୍ନୀଙ୍କ ସହିତ ଦ୍ୱାରିକାରେ ସୁଖରେ ଜୀବନଯାପନ କରୁଥିଲେ । ଏକଦା ସ୍ୱର୍ଗର ରାଜା ଦେବରାଜ ଇନ୍ଦ୍ର ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ବିନତି ପୂର୍ବକ କହିଥିଲେ, କିପରି ପ୍ରାଗଜ୍ୟୋତିଷପୁରର ଦୈତ୍ୟରାଜା ନରକାସୁରର ଅତ୍ୟାଚାରରେ ଦେବଗଣ ତ୍ରାହି ତ୍ରାହି ଡାକୁଛନ୍ତି । ଖାଲି ଦେବଲୋକ ନୁହେଁ ଭୂଲୋକରେ ମଧ୍ୟ ସମସ୍ତେ ତାର ଅତ୍ୟାଚାରରେ ତ୍ରାହି ତ୍ରାହି ଡାକୁଛନ୍ତି । ଦୈତ୍ୟ ସୁନ୍ଦରୀ କନ୍ୟାମାନଙ୍କୁ ବଳପୂର୍ବକ ଅପହରଣ କରି କିପରି ନିଜ ବନ୍ଦୀ ଗୃହରେ ରଖିଛି ତାହା ଦେବରାଜ ଇନ୍ଦ୍ର ଶ୍ରୀକୃଷ୍ଣଙ୍କ ଆଗରେ ବର୍ଣ୍ଣନା କରିଥିଲେ ଓ ସମସ୍ତଙ୍କୁ ଦୈତ୍ୟ କବଳରୁ ରକ୍ଷା କରିବାକୁ ପ୍ରାର୍ଥନା କରିଥିଲେ ।
ଇନ୍ଦ୍ରଙ୍କ ପ୍ରାର୍ଥନା ସ୍ୱୀକାର କରି ଶ୍ରୀକୃଷ୍ଣ ନିଜ ପ୍ରିୟ ପତ୍ନୀ ସତ୍ୟଭାମାଙ୍କୁ ସାଥିରେ ଧରି ଗରୁଡ ବାହନରେ ପ୍ରାଗଜ୍ୟୋତିଷପୁରରେ ପହଞ୍ଚିଥିଲେ । ସେଠରେ ପହଞ୍ଚିି ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହାୟତାରେ ପ୍ରଥମେ ନରକାସୁରର ମିତ୍ର ମୁର ଦୈତ୍ୟ ଓ ତାର ୬ ପୁତ୍ରକୁ ଯୁଦ୍ଧରେ ସଂହାର କରିଥିଲେ । ମୁର ଦୈତ୍ୟର ବଧ ସମାଚାର ଶୁଣି ନରକାସୁର ତାର ବହୁ ଅସୁର ସେନାଙ୍କ ସହିତ ଶ୍ରୀକୃଷ୍ଣଙ୍କ ସହ ଯୁଦ୍ଧ କରିବାକୁ ଆସିଲା । ନରକାସୁର ଜଣେ ନାରୀ ହାତରେ ମରିବ ବୋଲି ବର ପାଇଥିବାରୁ ଭଗବାନ ଶ୍ରୀକୃଷ୍ଣ ସତ୍ୟଭାମାଙ୍କୁ ନିଜ ରଥର ସାରଥୀ କରିଥିଲେ ଓ ଘମାଘୋଟ ଯୁଦ୍ଧ ପରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହାୟତାରେ ନରକାସୁରକୁ ବଧ କରିଥିଲେ । ନରକାସୁର ବଧ ପରେ ଶ୍ରୀକୃଷ୍ଣ ତାର ପୁତ୍ର ଭଗଦତ୍ତକୁ ଅଭୟ ଦାନ କରି ପ୍ରାଗଜ୍ୟୋତିଷପୁରର ରାଜା କରାଇଥିଲେ ଓ ନରକାସୁର ବନ୍ଦୀ କରି ରଖିଥିବା ୧୬, ୧୦୦ କନ୍ୟାଙ୍କୁ ମୁକ୍ତ କରିଥିଲେ । କି;ୁ ସାମାଜିକ ମାନ୍ୟତା ଅନୁସାରେ ନରକାସୁର ଦ୍ୱାରା ବନ୍ଦୀ କରି ରଖାଯାଇଥିବା ଏହି କନ୍ୟାଙ୍କୁ କେହି ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ । ଏଣୁ ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କୁ ଦ୍ୱାରିକାପୁରରେ ଆଶ୍ରୟ ଦେଇଥିଲେ । ଦ୍ୱାରକା ଏକ ଭବ୍ୟ ନଗର ଥିଲା ଯେଉଁଠି ସବୁ ସମାଜ ଓ ବର୍ଗର ଲୋକମାନେ ଶାନ୍ତି ଓ ସୁଖରେ ବସବାସ କରିପାରୁଥିଲେ ।
ଭାଗବତ ପୁରାଣ ଅନୁସାରେ ନରକାସୁର ଧରିତ୍ରୀ ଗର୍ଭରୁ ଉପିନ୍ନ ବିଷ୍ଣୁପୁତ୍ର ଭାବରେ ମଧ୍ୟ ପରିଚିତ ଥିଲା । ବିଷ୍ଣୁଙ୍କ ବରାହ ଅବତାର ସମୟରେ ଏହି ଅସୁର ଜାତ ହୋଇଥିଲା ଯେତେବେଳେ କି ଭଗବାନ ବିଷ୍ଣୁ ଧରିତ୍ରୀକୁ ଉଦ୍ଧାର କରିଥିଲେ । ନରକାସୁର ପ୍ରଥମେ ଭଲ ପ୍ରବୃତ୍ତିର ଥିଲା । କି;ୁ ପରବର୍ତ୍ତୀ ସମୟରେ ସେ ବାଣାସୁର ସଂଗତରେ ପଡି ଅତ୍ୟାଚାରୀ ହୋଇ ଯାଇଥିଲା । ଭଗବାନ ବିଷ୍ଣୁଙ୍କ ହାତରେ ତାର ମୃତୁ୍ୟ ହେବ ବୋଲି ଋଷି ବଶିଷ୍ଠ ତାକୁ ଅଭିଶାପ ଦେଇଥିଲେ । ପରେ ନରକାସୁର ତପୋବଳରେ ବ୍ରହ୍ମାଙ୍କୁ ପ୍ରସନ୍ନ କରି ବର ପାଇଥିଲା ଯେ, ତାକୁ ଦେବତା, ଅସୁର, ରାକ୍ଷାସ, ନର କି କିନ୍ନର କେହି ବି ମାରିପାରିବେ ନାହିଁ ଓ ସେ ସର୍ବଦା ବିଜୟୀ ରହିବ ।
ଶ୍ରୀକୃଷ୍ଣ କାର୍ତ୍ତିିକ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀରେ ନରକାସୁରର ବଧ କରିଥିଲେ । ନରକାସୁର ବଧ ପରେ ଲୋକମାନେ ଖୁସିରେ ଉତ୍ସବ ପାଳନ କରିବା ସହ ଦୀପ ଜଳାଇଥିଲେ । ଏଣୁ ଦୀପାବଳିର ଠିକ୍ ଗୋଟିଏ ଦିନ ପୂର୍ବରୁ ନରକ ଚତୁର୍ଦ୍ଦଶୀ ବା ଛୋଟ ଦୀପାବଳି ପାଳନ କରାଯାଏ । ମାନ୍ୟତା ରହିଛି ନରକାସୁରର ମୃତୁ୍ୟ ହୋଇଥିବାରୁ ଏହିଦିନ ଶୁଭ ଆତ୍ମାକୁ ମୁକ୍ତି ମିଳିଥାଏ । ଆସାମର ଇତିହାସରେ ବିଶେଷ ଭାବରେ କାମରୂପରେ ନରକାସୁର ବିଷୟରେ ବହୁ ଲୋକକଥା ପ୍ରଚଳିତ କାରଣ ଐତିହାସିକ ତଥ୍ୟ ଅନୁଯାୟୀ ସେ କାମରୂପ ରାଜବଂଶର ପୂର୍ବଜ ଥିଲା । ଗୌହାଟୀର ଦକ୍ଷିଣରେ ଥିବା ଏକ ପର୍ବତର ନାମ ନରକାସୁର ନାମ ଅନୁଯାୟୀ ରଖାଯାଇଛି । ଉଭୟ ମହାଭାରତ ଓ ରାମାୟଣରେ ନରକାସୁର ବିଷୟରେ ଉଲ୍ଲେଖ ରହିଛି । କାଳିକା ପୁରାଣରେ ବିଶେଷ ଭାବରେ ନରକାସୁର ବିଷୟରେ ଉଲ୍ଲେଖ ରହିଛି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)