ଉମରକୋଟ : ଥମୁନାହିଁ ସ୍ୱାମୀ ସ୍ତ୍ରୀ ହତ୍ୟାକାଣ୍ଡ । କେଉଁଠି ସ୍ତ୍ରୀ ସ୍ୱାମୀକୁ ହତ୍ୟା କଲାଣି ତ ପୁଣି କେଉଁଠି ସ୍ୱାମୀ ସ୍ତ୍ରୀ କୁ ହତ୍ୟା କରି ପୋତି ପକାଇଲାଣି । ସାରା ଦେଶରେ ଏହି ଭଳି ହତ୍ୟାକାଣ୍ଡ ଶିରୋନାମା ଧାରଣ କରିଥିବାବେଳେ ରାଜ୍ୟରେ ସେହିଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ନିଜ ସ୍ତ୍ରୀକୁ ହତ୍ୟା କରି ୨ ଦିନ ଧରି ଖଟରେ ଥିବା ବକ୍ସ ଭିତରେ ଲୁଚାଇ ଘରକୁ ତାଲା ପକାଇ ସ୍ୱାମୀ ଫେରାର ହୋଇଯାଇଛି । ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ହଳଦି ଗାଁରେ । ମୃତ ମହିଳା ଜଣକ ହେଲେ ଅନିତା ସୋରି ଏବଂ ହତ୍ୟାକାରୀ ସ୍ୱାମୀ ହେଲେ ଦୁଷ୍ମନ୍ତ ନାୟକ । ମହିଳାଙ୍କ ପରିବାର ଲୋକେ ସନ୍ଦେହ କରି ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ଚନ୍ଦାହାଣ୍ଡି ପୋଲିସ ପହଞ୍ଚି ଘର ତାଲା ଭାଙ୍ଗି ଖଟ ଭିତରେ ମହିଳାଙ୍କ ଶବ ଥିବାର ଦେଖିଥିଲେ । ତେବେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରି ଶବ ଉଦ୍ଧାର କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଯେଉଁ କାରଣରୁ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଛି ଜଣାପଡି ନାହିଁ । ଏନେଇ ଚନ୍ଦାହାଣ୍ଡି ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
Comments are closed.