ଯୁବତୀଙ୍କ ନରକଙ୍କାଳ ଉଦ୍ଧାର ଘଟଣା: ମୃତକଙ୍କ ଭାଇ ସମେତ ୪ ଗିରଫ, ମୃତ ଯୁବତୀଙ୍କ ଶିଶୁକନ୍ୟା ସୁରକ୍ଷିତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟରୁ ଯୁବତୀଙ୍କ କଙ୍କାଳ ଉଦ୍ଧାର କରିବାର ୬ ଦିନ ପରେ ଘଟଣାର ପର୍ଦ୍ଦାଫାସ ହୋଇଛି । ଅବିବାହିତା ଥିବା ଏହି ଯୁବତୀ ଏକ କନ୍ୟା ସନ୍ତାନ ଜନ୍ମଦେବାରୁ ତାଙ୍କୁ ତଣ୍ଟଚିପି ହତ୍ୟା କରାଯାଇଥିବା ପୁଲିସ କହିଛି । ହତ୍ୟା ଅଭିଯୋଗରେ ଯୁବତୀଙ୍କ ଭାଇ ନେତ୍ରା ଶଗରିଆ (୨୬ବର୍ଷ), ପ୍ରେମିକ ଉମାଶଙ୍କର ପାଣିଗ୍ରାହୀ (ବାପୀ)ଙ୍କ ଏବଂ ୨ ଜଣ ସହଯୋଗୀ ସୁକଲ ଦାସ (୬୧ବର୍ଷ) ଓ ଭବାନୀଶଙ୍କର ପାଣିଗ୍ରାହୀ (୩୫ବର୍ଷ)ଙ୍କୁ ଗିରଫ କରାଯାଇଛି । ଏନେଇ ରବିବାର କୋମନା ଥାନା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସଡ଼ିପିଓ ପ୍ରଶାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ୯ ତାରିଖ କୋମନା ଥାନାର ଜଣେ ଯୁବତୀ ନିଖୋଜ ହୋଇଥିବା ଅଭିଯୋଗ ଆସିଥିଲା । ଏହାକୁ ନେଇ କୋମନା ପୁଲିସ୍‌ ତଦନ୍ତ ଜାରି ରଖିଥିଲା । ଗତ ୭ ତାରିଖ ଦିନ ସୁନାବେଡ଼ା ଅଭୟାରଣ୍ୟ ରୁପିଆମ ନାଳରୁ ଜଣେ ଯୁବତୀଙ୍କ କଙ୍କାଳ ଉଦ୍ଧାର କରାଯାଇଥିଲା । ପୁଲିସ୍‌ କଙ୍କାଳ ଉଦ୍ଧାର କରି ଡିଏନ୍‌ଏ ପରୀକ୍ଷା ପାଇଁ ପଠାଇଥିଲା । ପରୀକ୍ଷା ରିପୋର୍ଟରୁ ଯୁବତୀ ଜଣକ ସୁଶୀଳା ଶଗରିଆ ବୋଲି ଜଣାପଡ଼ିଥିଲା । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିବା ପରେ ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚୁରା ଆରମ୍ଭ କରିଥିଲା । ଜେରା ସମୟରେ ପ୍ରକୃତ ଘଟଣା ଅଭିଯୁକ୍ତମାନେ ପ୍ରକାଶ କରିଥିଲେ । ଅଭିଯୁକ୍ତମାନଙ୍କ ସ୍ୱୀକାରୋକ୍ତି ଅନୁସାରେ, କୋମନା ଥାନା ଆଗ୍ରେନ ଗ୍ରାମର ସୁଶୀଳା ଶଗରିଆ (୨୨ବର୍ଷ) କୋମନା ସଦରର ଭବାନୀଶଙ୍କର ପାଣିଗ୍ରାହୀ ଓ ଉମାଶଙ୍କର ପାଣିଗ୍ରାହୀଙ୍କ ଘରେ ଚାକରାଣୀ ଭାବେ କାମ କରୁଥିଲେ । ଉମାଶଙ୍କର ପ୍ରେମ କରିବା ବାହାନାରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ପରେ ସୁଶୀଳା ୭ ମାସର ଗର୍ଭବତୀ ଥିବା ଜାଣି ଗର୍ଭପାତ କରାଇବାକୁ ଯୋଜନା କରିଥିଲା । ଲୋକଲଜ୍ଜାରୁ ବଞ୍ଚିବା ପାଇଁ ଉମାଶଙ୍କର ଓ ଯୁବତୀଙ୍କ ଭାଇ ନେତ୍ରା ଗର୍ଭପାତ କରାଇବା ପାଇଁ ସୁଶୀଳାଙ୍କୁ ପ୍ରଥମେ ଭେଲା ଡାକ୍ତରଖାନା ଓ ପରେ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଗର୍ଭପାତ କରିବାକୁ ମନା କରିବାରୁ କେସିଙ୍ଗାର ଏକ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ସୁଶୀଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଏହି ଶିଶୁକନ୍ୟାକୁ କେସିଙ୍ଗାର ଜଣେ ବ୍ୟକ୍ତିଙ୍କୁ ପାଳିବା ପାଇଁ ଦେଇ ଦେଇଥିଲେ । ପରେ ଯୁବତୀଙ୍କୁ ସୁନାବେଡ଼ାର ସୁକଲ ଦାସଙ୍କ ଘରେ ରଖିଥିଲେ । ସୁଶୀଳା ପୁଲିସ୍‌ ଆଗରେ ସବୁକଥା କହିଦେବ ବୋଲି କହିବାରୁ ତାକୁ ହତ୍ୟା କରିବାର ଷଡ଼ଯନ୍ତ୍ର କରିଥିଲେ ।

ସୁକଲ ଦାସ, ନେତ୍ରା ଶଗରିଆ ଓ ଉମାଶଙ୍କର ପାଣିଗ୍ରାହୀ ଏକ ପିକ୍‌ଅପ୍‌ ଭ୍ୟାନ୍‌(ଓଆର୍‌ ୧୩ ଏଫ ୨୦୨୨)ରେ ଯୁବତୀଙ୍କୁ ଆଣି ସୁନାବେଡ଼ା ଜଙ୍ଗଲରେ କପଡ଼ାରେ ତଣ୍ଟି ଚିପି ହତ୍ୟା କରିଥିଲେ । ପରେ ରୁପିଆମ ନାଳରେ ଶବକୁ ଫିଙ୍ଗି ଦେଇ ଫେରାର୍‌ ମାରିଥିଲେ ବୋଲି ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି । ପୁଲିସ୍‌ ହତ୍ୟାକାଣ୍ଡରେ ବ୍ୟବହୃତ ୩ଟି ମୋବାଇଲ ଫୋନ୍‌ ସହ ଏକ କାର୍‌ (ଓଡି ୩୩ ଏଡି ୩୧୧୩) ଓ ଏକ ବାଇକ୍‌ (ସଜି -୦୬-୮୫୮୩)କୁ ଜବତ କରିଛି । ଅନ୍ୟପକ୍ଷରେ ମୃତ ଯୁବତୀଙ୍କ ଶିଶୁକନ୍ୟା କେସିଙ୍ଗାରେ ସୁରକ୍ଷିତ ରହିଥିବା ପୁଲିସ୍‌ ପ୍ରକାଶ କରିଛି । ସାମ୍ବାଦିକ ସମ୍ମିଳନୀରେ କୋମନା ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ଗେଡ଼, ଏସ୍‌ଆଇ ମଞ୍ଜୁଲତା ଖେଡେଙ୍ଗା, ଜିତୁ ମହାନନ୍ଦ, ଜ୍ୟୋତି ରଞ୍ଜନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.