ବଲାଙ୍ଗିର : ସରକାରଙ୍କ ବନୀକରଣ ଯୋଜନା ଗୁଡ଼ିକରେ ଶ୍ରମିକ କାମ କରୁନାହାନ୍ତି । ହେଲେ, ଟଙ୍କା ପାଉଛନ୍ତି । ଆଉ ସେହି ଟଙ୍କାକୁ ମିଳିମିଶି ଖାଇଯାଉଛନ୍ତି ତଳୁ ଉପର ଯାଏ ଅଧିକାରୀ ଓ କର୍ମଚାରୀ । ଏଭଳି କିଛି ତଥ୍ୟ ଏବେ ଭିଜିଲାନ୍ସ ସାମ୍ନାକୁ ଆଣିଛି । ଯାହାକି ବିଭାଗୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଗତ ୧୦ ତାରିଖ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଫରେଷ୍ଟର ହରିହର ସ୍ୱାଇଁ । ଭିଜିଲାନ୍ସ ଟିମ୍ ପୂର୍ବ ଯୋଜନା ଅନୁସାରେ ଚଢ଼ଉ କରି ଧରିଥିଲା । ୧ଲକ୍ଷ ୩୦୦ ଟଙ୍କା ସେ ଲାଞ୍ଚ ନେଇଥିବା ମାମଲାରେ ହରିହର ଏବେ ଜେଲରେ । ହରିହର କ’ଣ ପାଇଁ ଏତେ ଟଙ୍କା ଲାଞ୍ଚ ନେଇଥିଲେ, ତାହା ଅନୁସନ୍ଧାନ କରିବାରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଫରେଷ୍ଟର ହରିହର ବଙ୍ଗୋମୁଣ୍ଡା ରେଞ୍ଜ ଅଧୀନସ୍ଥ ସିନ୍ଧେକେଲା ସେକ୍ସନରେ ଚାକିରି କରୁଥିଲେ । କାମ୍ପା ଓ ମନେରେଗା ଯୋଜନାରେ ବନୀକରଣ ପାଇଁ ଆସିଥିବା ଟଙ୍କା ଶ୍ରମିକମାନଙ୍କ ଆକାଉଣ୍ଟରେ ଜମା କରାଇଥିଲେ । ପ୍ରାୟ ୪୦ରୁ ୫୦ ଜଣ ଶ୍ରମିକଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା । ସେହି ଶ୍ରମିକମାନେ କି;ୁ କାମ କରିନଥିଲେ । ପ୍ରକୃତରେ ଚାରିପାଞ୍ଚ ଜଣ ଶ୍ରମିକ ଚାରାରୋପଣ କେବଳ କିଛିଟା କରିଥିଲେ । କାମ କରିନଥିବା ଶ୍ରମିକଙ୍କଙ୍କଠାରୁ ଜଣେ ଜଗୁଆଳିକୁ ଲଗାଇ ଟଙ୍କା ଆଦାୟ କରିଥିଲେ । ଭିଜିଲାନ୍ସ ଖବର ପାଇବା ପରେ ଯୋଜନା କରି ଫରେଷ୍ଟରଙ୍କୁ ଧରିଥିଲା ।
ସାରା ଜିଲ୍ଲାର ଚିତ୍ର ଦେଖିଲେ ସବୁଠି ଘୋଟାଲା ।
କେଉଁଠି ଗଛ ଅଧା ଲଗାଇ ରକ୍ଷଣାବେକ୍ଷଣ ଟଙ୍କା ସଂପୂର୍ଣ୍ଣ ହରିଲୁଟ୍ ହେଉଛି ତ ଆଉ କେଉଁଠି କେବଳ ଫଳକ ଜଙ୍ଗଲରେ ଲଗାଇ ଦେଇ ଟଙ୍କା ଆତ୍ମସାତ ହେଉଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲାରେ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରାୟ ୨୦ କୋଟିରୁ ଅଧିକ ଟଙ୍କା ବନୀକରଣରେ ଖର୍ଚ୍ଚ ହୋଇଛି । କାମ୍ପା, ମନେରେଗା, ଷ୍ଟେଟ୍ ପ୍ଲାନ ଆଇଜିସି, ଗ୍ରିନ ଇଣ୍ଡିଆ ମିସନ, ଆମ ଜଙ୍ଗଲ ଯୋଜନାରେ ସବୁ ଖର୍ଚ୍ଚ କରାଯାଇଛି । ନିୟମ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ବନବିଭାଗ ଗଛ ଲଗାଇବାକୁ ସ୍ଥାନ ଚୟନ କରିଥାଏ । ସେଥିରେ ଟଙ୍କା ଖର୍ଚ୍ଚ ହୁଏ । ଦ୍ୱିତୀୟ ପର୍ଯ୍ୟାୟରେ ଗଛ ଲଗାଯାଇ ରକ୍ଷଣାବେକ୍ଷଣ କରାଯାଇଥାଏ । ତା’ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ସହ ଯେଉଁ ଗଛ ସବୁ ମରିଯାଇଥିବ, ତାକୁ ପୁଣି ଲଗାଯାଇ ରକ୍ଷଣାବେକ୍ଷଣ ହୁଏ । ଶେଷବେଳକୁ ରକ୍ଷଣାବେକ୍ଷଣ ଓ ଜଗୁଆଳି ବାବଦକୁ ବି ଟଙ୍କା ଖର୍ଚ୍ଚ ହୁଏ । ଲକ୍ଷ ଲକ୍ଷ ଟଙ୍କା ଗୋଟିଏ ଗୋଟିଏ ପ୍ରକଳ୍ପରେ ଖର୍ଚ୍ଚ ହୋଇଥାଏ । କି;ୁ ଏସବୁରେ ବ୍ୟାପକ ଦୁର୍ନୀତି ହେଉଛି । ଜାଲ୍ ଶ୍ରମିକ ନିଯୁକ୍ତି ଏହାର ଏକ ଜ୍ୱଳନ୍ତ ଉଦାହରଣ । ସାରା ଜିଲ୍ଲାରେ ବନୀକରଣ କାର୍ଯ୍ୟକ୍ରମ କେମିତି ଚାଲୁଛି ଭିଜିଲାନ୍ସ ଯଦି ଖୋଲତାଡ଼ କରେ, ଏହି ବଡ଼ଧରଣର ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରିବ ।
Comments are closed.