ଲକ୍ଷ୍ନୌ: ମାର୍ଚ୍ଚ୨୫: ଶୁକ୍ରବାର ଉତ୍ତରପ୍ରଦେଶରେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଯୋଗୀ ଆଦିତ୍ୟନାଥ। ଶପଥଗ୍ରହଣ ସମାରୋହ ଅପରାହ୍ମଣ ୪ଟାରେ ଲକ୍ଷ୍ନୌ ସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ । ଗୁରୁବାର ଦିନ ଉତ୍ତରପ୍ରଦେଶରେ ନବନିର୍ବାଚିତ ବିଜେପି ବିଧାୟକମାନେ ଯୋଗୀ ଆଦିତ୍ୟନାଥଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରିଛନ୍ତି ।ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଥିବା ବିଧାୟକଙ୍କ ନାଁ ରାଜଭବନକୁ ପଠାଯାଇଛି । ଲକ୍ଷ୍ନୌରେ ବିଜେପି ବିଧାୟକ ଦଳର ବୈଠକ ରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ୟୁପି ବିଧାନସଭା ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ, ରାଧାମୋହନ ସିଂହ, କେଶବ ପ୍ରସାଦ ମୌର୍ଯ୍ୟ, ଦିନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଆଦିତ୍ୟନାଥଙ୍କ ଶପଥଗ୍ରହଣ ଉତ୍ସବ ଲାଗି ବ୍ୟାପକ ପ୍ରସ୍ତୁତି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମାରୋହରେ ମୁଖ୍ୟ ଅତିଥି ହେବେ । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ଶାସିତ ସମସ୍ତ ରାଜ୍ୟର ବର୍ତ୍ତମାନ ଓ ଭୂତପୂର୍ବ ମୁଖ୍ୟମନ୍ତ୍ରୀ ମଧ୍ୟ ସମାରୋହରେ ଯୋଗ ଦେବେ । ଏମାନଙ୍କ ବ୍ୟତୀତ ଅକ୍ଷୟ କୁମାର, କଙ୍ଗନା ରାଣାୱତ୍, ବୋନି କପୁର ପ୍ରମୁଖ ବଲିଉଡ୍ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି । ନିକଟରେ ରିଲିଜ୍ ହୋଇଥିବା ଦି କାଶ୍ମୀର ଫାଇଲ୍ସ ଫିଲ୍ମର ଟିମ୍ଙ୍କୁ ନିମନ୍ତ୍ରଣ କରାଯାଇଥିବାବେଳେ ସେମାନଙ୍କ ତରଫରୁ ଅଭିନେତା ଅନୁପମ ଖେର୍ ଓ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
Comments are closed.