ପିପିଲି: ନିଶା ନିବାରଣ କେନ୍ଦ୍ର ନେଲା ଯୁବକଙ୍କ ଜୀବନ ଇ ନିଶା ନିବାରଣ କେନ୍ଦ୍ରରେ ପିଟି ପିଟି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ମୃତ ଯୁବକଙ୍କ ନାଁ ଶୁଭାଶିଷ ନାୟକ ଓରଫ କିରଣ । ତାଙ୍କ ଘର ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ । ଏନେଇ ତାଙ୍କ ବାଵପା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି । ପିପିଲି ଉତ୍ତରା ନିକଟସ୍ଥ ଦିଶା ଫାଉଣ୍ଡେସନ ବିରୋଧରେ ଏଭଳି ଅଭିଯୋଗ ଆସିଛି। ପୋଲିସ ଏହି ଘଟଣାରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଘଟନାନୁସାରେ,ଭୁବନେଶ୍ୱର ଲକ୍ଷ୍ମୀସାଗରରେ ରହୁଥିବା ନବକୃଷ୍ଣ ନାୟକଙ୍କ ପୁଅ ଶୁଭାଶୀଷ ନାୟକ ଏମ.ବିଏ ପାସ କରିଥିଲେ । ତାଙ୍କର ଶୂଚିବାଇ ଜନିତ ମାନସିକ ରୋଗ ଥିଲା । ଏନେଇ ନବକୃଷ୍ଣ ନାୟକ ଗତ ଡିସେମ୍ବର ୩ ତାରିଖରେ ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ଅନ୍ତର୍ଗତ ପୂବାଶାସନ ଅଞ୍ଚଳରେ ଥିବା ଦିଶା ଫାଉଣ୍ଡେସନ୍ ନାମକ ଏକ ନିଶା ନିବାରଣ ଓ ଯୋଗ ପ୍ରାଣାୟାମ କେନ୍ଦ୍ରରେ ତାଙ୍କୁ ଭର୍ତି କରିଥିଲେ ।
ଗତକାଲି ଅପରାହ୍ଣ ସାଢେ ୩ଟା ସମୟରେ ଏହି କେନ୍ଦ୍ରର ମୁଖ୍ୟ ପ୍ରତାପ ମହାନ୍ତି ଫୋନ କରି ଶୁଭାଶୀଷଙ୍କ ବାପା ନବକୃଷ୍ଣ ନାୟକଙ୍କୁ କହିଥିଲେ ଯେ, ଆପଣଙ୍କ ପୁଅର ବାନ୍ତି ହେଉଛି ଓ ଆପଣ କ୍ୟାପିଟାଲ ହସ୍ପିଟାଲକୁ ଆସନ୍ତୁ। ଏହାର ୧୦ ମିନିଟ୍ ପରେ ପୁଅର ମୃତ୍ୟୁ ହୋଇଥିବା ନେଇ ପୁନର୍ବାର ଫୋନ କରି କହିଥିଲେ। ତେବେ ଏହି ଅନୁଷ୍ଠାନର କର୍ମଚାରୀମାନେ ତାଙ୍କ ପୁଅକୁ ଆକ୍ରମଣ କରି ମାଡ଼ମାରି ମାରିଦେଇଥିବା ସମ୍ପର୍କରେ ସେ ଗୁରୁବାର ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ପୁଲିସରେ ଏନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଏହାପରେ ପିପିଲି ପୋଲିସ ଏବଂ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ପ୍ଲାଷ୍ଟିକ ଲାଠି ଏବଂ ସିସିଟିଭି ହାର୍ଡ ଡିସ୍କ ଜବତ ହୋଇଛି। ଯୁବକଙ୍କୁ ହତ୍ୟା ସନ୍ଦେହରେ ପୋଲିସ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଏହି ଘଟଣାରେ ଉକ୍ତ ଅନୁଷ୍ଠାନର ୭ ଜଣ କର୍ମଚାରୀଙ୍କୁ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଥିବାବେଳେ ଅନୁଷ୍ଠାନ ମୁଖ୍ୟ ଫେରାର ହୋଇଯାଇଥିବା ସୂଚନା ମିଳିଛି। ୨୦୨୧ ରେ ମଧ୍ୟ ଉକ୍ତ ଅନୁଷ୍ଠାନର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।